ଓଲଟିଲା ତୀର୍ଥ ଯାତ୍ରୀ ବସ୍ । ଖନ୍ତାପଡ଼ା ଥାନା ଶେରଗଡ଼ ପାଖରେ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀ ବସ୍। ତୀର୍ଥଯାତ୍ରୀ ବସ୍‌ ହଠାତ୍‌ ନିୟନ୍ତ୍ରଣ ହରାଇ ରାସ୍ତା ପାଖରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବସ୍‌ଟି କେରଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଆସୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ଟିକୁ ଜବତ କରିଛି।

ସୂଚନା ଅନୁଯାୟୀ, କେରଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ବସ୍‌ଟି ଜାତୀୟ ରାଜପଥ ୧୪୩ରେ ଖଣ୍ଟାପଡ଼ା ଥାନା ଅଞ୍ଚଳ ମଧ୍ୟରେ ଯାଉଥିବାବେଳେ ହଠାତ୍‌ ଭାରସାମ୍ୟ ହରାଇ ଓଲଟିଯାଇଥିଲା। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସି ଉଦ୍ଧାର କରିଥିଲେ।

ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ଆଠ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡ଼ାକ୍ତରମାନେ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ଏବଂ ଭୁବନେଶ୍ୱରକୁ ରେଫର କରିଛନ୍ତି।

ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦ୍ରୁତ ଗତି କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି କି ନାହିଁ ତାହା ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଯାଞ୍ଚ ପାଇଁ ବସ୍‌ଟିକୁ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *