ରାଜଧାନୀ ଭୁବନେଶ୍ୱରର ପଳାଶୁଣୀ ଓଭରବ୍ରିଜ୍ ଉପରେ ଆଜି ସକାଳେ ଏକ ଟ୍ରକ୍ରେ ଭୟଙ୍କର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ସୌଭାଗ୍ୟବଶତଃ ଡ୍ରାଇଭର ଓ ହେଲପର ଠିକ୍ ସମୟରେ ଗାଡ଼ିରୁ ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କଟକ ପଟରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ଏକ ମାଲବାହୀ ଟ୍ରକ୍ ପଳାଶୁଣୀ ଓଭରବ୍ରିଜ୍ ଉପରେ ହଠାତ୍ ଧୂଆଁ ଛାଡ଼ିବା ଆରମ୍ଭ କରିଥିଲା । ଡ୍ରାଇଭର କିଛି ବୁଝିବା ଆଗରୁ ଇଞ୍ଜିନ୍ ପଟରୁ ନିଆଁ ବାହାରି ସମ୍ପୂର୍ଣ୍ଣ କ୍ୟାବିନକୁ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୪୦ ମିନିଟ୍ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଟ୍ରକ୍ ସମ୍ପୂର୍ଣ୍ଣ ଜଳି ସାରିଥିଲା । ଟ୍ରକ୍ରେ ଥିବା ସାମଗ୍ରୀ ବି ପୋଡ଼ି ନଷ୍ଟ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପ୍ରାଥମିକ ଅନୁମାନ ଅନୁଯାୟୀ ସର୍ଟ ସର୍କିଟ୍ ବା ଇଞ୍ଜିନ୍ ଅଧିକ ଗରମ ହୋଇ ନିଆଁ ଲାଗିଥାଇପାରେ । ପୋଲିସ୍ ଓ ଅଗ୍ନିଶମ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି । ଜାତୀୟ ରାଜପଥ-୧୬ ର ଏହି ବ୍ୟସ୍ତବହୁଳ ଓଭରବ୍ରିଜ୍ରେ ନିଆଁ ଲାଗିବା ଯୋଗୁଁ ପ୍ରାୟ ଘଣ୍ଟାଏ ଧରି ଯାତାୟାତ ବନ୍ଦ ରହିଥିଲା । ଉଭୟ ପଟେ ଲମ୍ବା ଗାଡ଼ି ଧାଡ଼ି ଲାଗିଯାଇଥିଲା । ପରେ କ୍ରେନ୍ ସାହାଯ୍ୟରେ ଜଳା ଟ୍ରକ୍କୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । Post navigation Heat Wave in Odisha: ୪୪ ଡିଗ୍ରୀ ଛୁଇଁଲା ରାଜ୍ୟର ତାପମାତ୍ରା Odisha Cabinet Decisions: ୮ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର; କାଠଯୋଡ଼ି ନଦୀ ଉପରେ ତିଆରି ହେବ ନୂଆ ବ୍ରିଜ୍