ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ପୁରୀର ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଚାଲୁଥିବା ତାଲିକାରେ ଏପର୍ଯ୍ୟନ୍ତ କୌଣସି ଅସଙ୍ଗତି ଚିହ୍ନଟ ହୋଇନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଭିତର ରତ୍ନଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ହୋଇଛି ମେଳକ ପ୍ରକ୍ରିୟା ।

ସେ କହିଛନ୍ତି ପ୍ରଥମେ ବାହାର ଭଣ୍ଡାର ଓ ପରେ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତିମନ୍ତି ସଫଳତାର ସହିତ ସମାପ୍ତ ହୋଇଛି। ଏବେ ଭିତର ରତ୍ନଭଣ୍ଡାରର ଶୁଦ୍ଧି ପ୍ରକ୍ରିୟା ମଧ୍ୟ ସୁଚାରୁ ଭାବେ ଅଗ୍ରସର ହେଉଛି। ଚଳନ୍ତି ଭଣ୍ଡାର (ଦୈନନ୍ଦିନ ବ୍ୟବହାରର ଅଳଙ୍କାର) ଏବଂ ବାହାର ଭଣ୍ଡାରର ତାଲିକା ସିସିଟିଭି ନଜରରେ ସମାପ୍ତ ହୋଇଛି। ଭିତର ଭଣ୍ଡାର ପାଇଁ କାର୍ଯ୍ୟ ବର୍ତ୍ତମାନ ଚାଲିଛି। ରତ୍ନ ଭଣ୍ଡାରରେ ଗଚ୍ଛିତ ସମସ୍ତ ଅଳଙ୍କାର – ତାହା ସୁନା ହେଉ କିମ୍ବା ମୂଲ୍ୟବାନ ପଥର – ଏପର୍ଯ୍ୟନ୍ତ ୧୯୭୮ ର ତାଲିକା ସହିତ ମେଳ ଖାଉଛି। ଏହି ପବିତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ସାଧୁତା, ନିଷ୍ଠା ଓ ସମର୍ପଣ ମନୋଭାବ ନେଇ କରାଯାଇଛି। ପ୍ରଭୁଙ୍କ କୃପାରୁ ଗୋଟିଏ ବି ଅସଙ୍ଗତି ରେକର୍ଡ କରାଯାଇ ନାହିଁ।

ସେ ଆହୁରି କହିଛନ୍ତି ଯେ ଚନ୍ଦନ ଯାତ୍ରା ଯୋଗୁଁ ପ୍ରକ୍ରିୟାକୁ ଏପ୍ରିଲ ୧୮ ରୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଏବଂ ଉପଯୁକ୍ତ ସମୟରେ ପୁଣି ଆରମ୍ଭ ହେବ। ପ୍ରକ୍ରିୟା ସମାପ୍ତ କରିବାକୁ ଆହୁରି କେତେ ସମୟ ଲାଗିବ ତାହା ଆମେ କହିପାରିବୁ ନାହିଁ।

ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ ୧୯୭୮ ମସିହାରେ ପୂର୍ବ ଇନଭେଣ୍ଟରୀ ସମ୍ପୂର୍ଣ୍ଣ ହେବା ପାଇଁ ୭୨ ଦିନ ଲାଗିଥିଲା, କିନ୍ତୁ ବର୍ତ୍ତମାନର କାର୍ଯ୍ୟ ଏପର୍ଯ୍ୟନ୍ତ ନଅ ଦିନ ଧରି ସରିଛି।

ସେ ଆଉ ମଧ୍ୟ କହିଛନ୍ତି ସମଗ୍ର ପ୍ରକ୍ରିୟା ସହିତ ଅଳଙ୍କାର ମାନଙ୍କର ଫଟୋଗ୍ରାଫି, ଭିଡିଓଗ୍ରାଫି ଓ 3D ମ୍ୟାପିଙ୍ଗ ମଧ୍ୟ କରାଯାଉଛି । ଏପ୍ରିଲ ୧୩ରୁ ଆରମ୍ଭ ହୋଇଥିବା ଭିତର ରତ୍ନଭଣ୍ଡାର ଅଳଙ୍କାର କେବଳ ଗଣତି କରାଯାଉଛି।

Leave a Reply

Your email address will not be published. Required fields are marked *