ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ। ହାରିଲେ ଦତ୍ତେଶ୍ବର ହୋତା । ଦୀର୍ଘ ବର୍ଷ ପରେ ଦିଲ୍ଲୀପ ରାୟ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୨ ମସିହାରେ ଯେଭଳି ଭାବେ ଦିଲ୍ଲୀପ ରାୟ ବିଜେଡି ଓ ଅନ୍ୟ ଦଳର ବିଧାୟକଙ୍କ ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ, ଠିକ୍ ସେହିପରି ଚଳିତ ରାଜ୍ୟସଭା ନିର୍ବାଚନର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।

ବିଜୟ ପରେ ନିଜର ପ୍ରତିକ୍ରିୟା ରଖିବା ସହ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ ରାୟ। ସେ କହିଛନ୍ତି ଏହି ବିଜୟ କେବଳ ତାଙ୍କର ନୁହେଁ, ବରଂ ଏହା ରାଜନୈତିକ ସୀମା ବାହାରେ ସମସ୍ତ ବିଧାୟକଙ୍କ ଭରସା ଓ ସଦିଚ୍ଛାର ପ୍ରତିଫଳନ। ସେ ଭାଜପା ବିଧାୟକଙ୍କ ଅକୁଣ୍ଠ ସମର୍ଥନ ପାଇଁ ଧନ୍ୟବାଦ ଦେବା ସହ ବିଜେଡି, କଂଗ୍ରେସ ଏବଂ ସ୍ୱାଧୀନ ବିଧାୟକ ଯେଉଁମାନେ ତାଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି, ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।

ଦିଲ୍ଲୀପ ଆଉ ମଧ୍ୟ କହିଛନ୍ତି କହିଛନ୍ତିଏଭଳି ମୁହୂର୍ତ୍ତ ଆମ ଗଣତନ୍ତ୍ରର ପ୍ରକୃତ ଶକ୍ତିକୁ ପ୍ରଦର୍ଶିତ କରେ, ଯେଉଁଠି ରାଜ୍ୟ ଓ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ସମସ୍ତଙ୍କୁ ଏକାଠି କରିଥାଏ। ମୁଁ ଏହି ଦାୟିତ୍ୱକୁ ଅତ୍ୟନ୍ତ ନମ୍ରତାର ସହ ଗ୍ରହଣ କରୁଛି।ରାଜ୍ୟସଭାରେ ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିନିଧିତ୍ୱ କରିବା ସହ ରାଜ୍ୟ ତଥା ଦେଶର ପ୍ରଗତି ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶେଷରେ “ଜୟ ଜଗନ୍ନାଥ” କହି ସେ ନିଜ ଉପରେ ଆସ୍ଥା ପ୍ରକଟ କରିଥିବା ସମସ୍ତଙ୍କୁ ହାତଯୋଡ଼ି ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଯୋଗ୍ୟ; ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଜିତିଥିବା ବେଳେ, ଦଳର ଅନ୍ୟତମ ପ୍ରାର୍ଥୀ ଡ. ଦତ୍ତେଶ୍ୱର ହୋତା ପରାଜୟ ବରଣ କରିଛନ୍ତି।

ଅନ୍ୟପଟେ ବିଜେଡି ଓ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ଯୋଗୁଁ ନବୀନଙ୍କ ଅଙ୍କ ଭୁଲ୍ ସାବ୍ୟସ୍ତ ହୋଇଛି। କଂଗ୍ରେସର ଦଳର ନିଷ୍ପତ୍ତି ସତ୍ତ୍ୱେ ୩ ଜଣ କଂଗ୍ରେସ ବିଧାୟକ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେଇନାହାନ୍ତି। ସେହିପରି ବିଜେଡି ସୁପ୍ରିମୋ ନବୀନଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ବିଜେଡିର ପ୍ରାୟ ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି। ଏଥିରେ ସନାତନ ମହାକୁଡ଼, ଅରବିନ୍ଦ ମହାପାତ୍ର, ଦେବୀ ରଞ୍ଜନ ତ୍ରିପାଠୀ ଏବଂ ସୌଭିକ ବିଶ୍ୱାଳଙ୍କ ଭଳି ନେତା ସାମିଲ ଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *