ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍ ନୋଟିସ୍ । କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି। ରାଜ୍ୟସଭା ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ସମୟରେ ହଠାତ୍ ଅନୁପସ୍ଥିତି ପାଇଁ କମିଟି (OPCC) ଓଡ଼ିଶାର ମୋହନାର କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍ ନୋଟିସ୍ ଜାରି କରାଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ରାଜ୍ୟ ୟୁନିଟ୍ ଦ୍ୱାରା ଜାରି ନୋଟିସ୍ ଅନୁଯାୟୀ, ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ନିର୍ଦ୍ଦେଶ ଦିଆଯାଇଛି ।ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି । ନିର୍ଦ୍ଧାରିତ ସମୟରେ ନ ପହଞ୍ଚିଲେ, ଉତ୍ତର ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଏହା ପରେ ଏହି ଘଟଣାକୁ ନେଇ ଦଳୀୟ ସ୍ତରରେ ତୀବ୍ର ଆଲୋଚନା ଆରମ୍ଭ ହୋଇଛି। ନୋଟିସ୍ ମାଧ୍ୟମରେ ଦାଶରଥୀ ଗମାଙ୍ଗଙ୍କୁ କୁହାଯାଇଛି ଆସନ୍ତା ୧୬ ମାର୍ଚ୍ଚ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ଦଳର ବିଧାୟକମାନଙ୍କୁ ୧୩ ତାରିଖରୁ ଭୁବନେଶ୍ଵରରେ ରହିବା ନିମନ୍ତେ ହ୍ଵିପ୍ ଜାରି କରାଯାଇଥିବା ଆପଣ ଜାଣନ୍ତି । ତେବେ ଗତ ୮ ମାର୍ଚ୍ଚ ୨୦୨୬ରୁ ଏ ଯାଏ ସପ୍ତାହେ କାଳ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ପିସିସି ସଭାପତି ଚେଷ୍ଟା କରୁଛନ୍ତି, ଅଥଚ ଆପଣ ମିଳୁନାହାନ୍ତି। ଏଆଇସିସି ଓଡ଼ିଶା ଇନ୍-ଚାର୍ଜ ଅଜୟ କୁମାର ଲାଲ୍ଲୁ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଆପଣଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରି ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଆପଣଙ୍କ ଭୁବନେଶ୍ଵସ୍ଥିତ ବାସଭବନ ଓ ଆପଣଙ୍କ ଗ୍ରାମରେ ମଧ୍ୟ ଆପଣଙ୍କୁ ବହୁବାର ଖୋଜିବାକୁ ଚେଷ୍ଟା କରାଯାଇଥିଲା । ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣ ରହସ୍ୟମୟ ଭାବେ ଉଭାନ ହୋଇଯିବା ଦ୍ଵାରା ରାଜ୍ୟବାସୀଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯାଉଛି। ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ମିଳିତ ଭାବେ କଂଗ୍ରେସ-ବିଜେଡି-ସିପିଆଇ(ଏମ୍) ଜିତାଇବାକୁ ଚେଷ୍ଟା କରୁଥିବା ବେଳେ ଆପଣଙ୍କ ଖୋଜୁଖବର ନ ଥିବା ନେଇ ଗଣମାଧ୍ଯମରେ ନିୟମିତ ଖବର ପ୍ରକାଶ ପାଇବା ଦ୍ଵାରା ରାଜ୍ୟବାସୀଙ୍କ ମନରେ ଅହେତୁକ ଦ୍ଵନ୍ଦୁ ସୃଷ୍ଟି ହେଉଛି। ଆପଣଙ୍କ ଇଚ୍ଛା ବିରୋଧରେ କେହି ଆପଣଙ୍କୁ ଅପହରଣ କରି ନେଇଥିବା ବିଷୟରେ ମଧ୍ୟ ଆପଣଙ୍କ କୌଣସି ନିକଟତମ ମହଲରୁ ସୂଚନା କିମ୍ବା ଅଭିଯୋଗ ନ ଥିବାରୁ ଆପଣ ସ୍ଵଇଚ୍ଛାରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି । ଆପଣ ଯେ ନିଜକୁ ଦଳରୁ ଦୂରେଇନେବାକୁ ଚାହିଛନ୍ତି, ଆପଣଙ୍କ ଏତାଦୃଶ କାର୍ଯ୍ୟକଳାପରୁ ସୂଚନା ମିଳୁଛି। ଏଣୁକରି ଆଜି ୧୫ ମାର୍ଚ୍ଚ ୨୦୨୬ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଆପଣ ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟାଳୟରେ ହାଜର ପୂର୍ବକ ଆପଣଙ୍କ ଏହି ବିଶୃଙ୍ଖଳିତ ଆଚରଣ ପାଇଁ ଆପଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ କରା ନ ଯିବ, ତା’ର ଉତ୍ତର ଦେବାକୁ ଆପଣଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଆପଣଙ୍କ ନ ଆସନ୍ତି କିମ୍ବା ଆପଣଙ୍କଠାରୁ ସନ୍ତୋଷଜନକ ଲିଖିତ ଉତ୍ତର ନ ମିଳେ, ଆପଣଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ବାଧ୍ଯ ହେବ । ଅନ୍ୟପଟେ ଏହି ନୋଟିସ୍ ପରେ ଗମାଙ୍ଗ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତିକ୍ରିୟା ଦିଅନ୍ତି କି ନାହିଁ ଏବଂ ତାଙ୍କର ସ୍ଥିତି ସ୍ପଷ୍ଟ କରନ୍ତି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। Post navigation Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ NHAI hikes FASTag Annual Pass Fee: ଏପ୍ରିଲ୍ ୧ରୁ ବଢ଼ିବ NHAI ଫାଷ୍ଟଟ୍ୟାଗ୍ ବାର୍ଷିକ ପାସ୍ ଫି