ଆସନ୍ତାକାଲି ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ। ଘୋଡା ବେପାର ଏବଂ କ୍ରସ ଭୋଟିଂ ମଧ୍ୟରେ ଆସନ୍ତାକାଲି ଭୋଟ୍ ଦେବେ ସବୁ ଦଳର ବିଧାୟକ । ତେବେ ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ ନିଜ ନିଜର ଏଜେଣ୍ଟଙ୍କ ନାଁ ଘୋଷଣା କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନରେ ଶାସକ ଦଳ ବିଜେପି ପାଇଁ ନିର୍ବାଚନ ଏଜେଣ୍ଟ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ। ସେହିପରି ବରିଷ୍ଠ ବିଧାୟକ ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକ ବିଜେଡିର ଏଜେଣ୍ଟ ଭାବେ କାମ କରିବେ। କଂଗ୍ରେସର ଏଜେଣ୍ଟ ରହିବେ ପିସିସି ସଭାପତି ଭକ୍ତଚରଣ ଦାସ। ଏହା ପୂର୍ବରୁ ଶାସନ ଦଳ ଏହାର ବିଧାୟକମାନଙ୍କୁ ଏକ ହ୍ୱିପ୍ ଜାରି କରିଥିଲା ଏବଂ ମାର୍ଚ୍ଚ ୧୬ରେ ଓଡ଼ିଶା ବିଧାନସଭାରେ ଉପସ୍ଥିତ ରହିବାକୁ କହିଥିଲା। ଏହା ସହ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ସେମାନଙ୍କର ବିଧାୟକମାନଙ୍କୁ ହ୍ୱିପ୍ ଜାରି କରିଥିଲା। ନିର୍ବାଚନ ସମୟରେ ଓଡ଼ିଶା ବିଧାନସଭାରେ ଉପସ୍ଥିତ ରହିବାକୁ ସୁନିଶ୍ଚିତ କରିବା ପାଇଁ ଉଭୟ ଦଳ ସେମାନଙ୍କର ବିଧାୟକମାନଙ୍କୁ ମାର୍ଚ୍ଚ ୧୩ ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ରାଜଧାନୀ ସହରରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ; ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାର ଚାରୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଭୋଟ୍ ପାଇଁ ସବୁ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚତୁର୍ଥ ଆସନରେ ରୋଚକ ଲଢ଼େଇ ଉପରେ ଏବେ ସମସ୍ତଙ୍କର ନଜର ଅଟକିଛି। ଓଡିଶାରୁ ଚାରୋଟି ଆସନ ମଧ୍ୟରୁ ତିନୋଟି ଆସନର ଫଳାଫଳ ସ୍ପଷ୍ଟ ହୋଇ ସାରିଥିବା ବେଳେ ଚତୁର୍ଥ ଆସନ ପାଇଁ ଲଢେଇ ରୋଚକ ହେଉଛି । ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟଙ୍କୁ ବିଜେପି ମଇଦାନରେ ଛାଡିଥିବା ବେଳେ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛନ୍ତି । ଏପ୍ରିଲ ୨ ତାରିଖରେ ଓଡ଼ିଶାର ଚାରି ଜଣ ରାଜ୍ୟସଭା ସାଂସଦ ଅବସର ନେବାକୁ ଥିବାରୁ ଏହି ନିର୍ବାଚନ ଆବଶ୍ୟକ ହୋଇଛି। ଅବସର ଗ୍ରହଣ କରୁଥିବା ସଦସ୍ୟମାନେ ହେଉଛନ୍ତି ବିଜେଡିର ନିରଞ୍ଜନ ବିଶି ଏବଂ ମୁନ୍ନା ଖାନ, ଏବଂ ବିଜେପିର ସୁଜିତ କୁମାର ଏବଂ ମମତା ମହାନ୍ତ। Post navigation Assembly Poll: ଆଜି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ଘୋଷଣା ହୋଇପାରେ ତାରିଖ PCC Issues Show Cause Notice: ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍ ନୋଟିସ୍