ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ଦଳରେ ସେତିକି ଭୟ ବଢ଼ୁଛି । ଏହାରି ମଧ୍ୟରେ କଂଗ୍ରେସର ୯ ଜଣ ବିଧାୟକ ପିସିସି ସଭାପତିଙ୍କ ସହିତ ରାଜ୍ୟ ବାହାରକୁ ପଳାଇ ଯାଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।

ସେ କହିଛନ୍ତି ଆମ ବିଧାୟକଙ୍କୁ ବିଜେପି ପ୍ରଲୋଭିତ କରୁଛି । ଘୋଡ଼ା ବେପାର ନେଇ ବିଜେପି ଚର୍ଚ୍ଚାରେ । ତେଣୁ ସୁରକ୍ଷିତ ରହିବାକୁ ଚେଷ୍ଟା କରାଯାଉଛି । ଯେଉଁମାନେ କ୍ରସ ଭୋଟିଂ କରିବାର ସମ୍ଭାବନା ରହିଛି ସେମାନେ ବେଙ୍ଗାଲୁରୁ ଯାଇଛନ୍ତି । ଯେଉଁ ୫ ଜଣ ବିଧାୟକ ଭୁବନେଶ୍ୱର ଯାଇନାହାଁନ୍ତି ସେମାନେ କ୍ରସ୍ ଭୋଟିଂ କରିବେ ନାହିଁ ।

ସେହିପରି ଏହାକୁ ନେଇ ନାପସନ୍ଦ କରିଛନ୍ତି ସୋଫିଆ ଫିର୍ଦ୍ଦୋସ୍ । ବେଙ୍ଗାଲୁରୁ ଗସ୍ତ ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ସୋଫିଆ କହିଛନ୍ତି ଗଣମାଧ୍ୟମରୁ ଏସବୁ ସୂଚନା ମିଳିଛି । ମୁଁ ବେଙ୍ଗାଲୁରୁ ଯିବାର କୌଣସି ଆବଶ୍ୟକତା ନାହିଁ । କଟକ ସହର ଭଳି ଏକ ଶିକ୍ଷିତ ସହରରୁ ଆସିଛୁ । ତେଣୁ ଆମେ ସଠିକ୍ ନିଷ୍ପତ୍ତି ନେବୁ ।

ସୂଚନା ଯୋଗ୍ୟ; ଗତକାଲି ରାତିରେ ପିସିସି ସଭାପତି ୯ ଜଣ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ସେଠାରେ ଏକ ଘରୋଇ ରିସର୍ଟରେ ରହଣି କରିଛନ୍ତି । ରାଜ୍ୟ ବାହାରକୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଶୋକ କୁମାର ଦାସ, ପବିତ୍ର ସାଉଁନ୍ତା, ଡାକ୍ତର ସିଏସ୍ ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, କାଡ୍ରାକା ଆପଲା ସ୍ୱାମୀ, ନୀଳ ମାଧବ ହିକ୍କକା, ସତ୍ୟଜିତ ଗମାଙ୍ଗୋ, ସାଗର ଚରଣ ଦାସ ଓ ମଙ୍ଗୁ ଖିଲ ପ୍ରମୁଖ ସାମିଲ । ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଧାୟକଙ୍କୁ ନେଇ ମାର୍ଚ୍ଚ ୧୫ରେ ଓଡ଼ିଶା ଫେରିବେ ଭକ୍ତ ଦାସ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ରମେଶ ଜେନା, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋସ ଓ ଦାଶରଥି ଗମାଙ୍ଗ ବେଙ୍ଗାଲୁରୁ ଯାଇ ନଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *