ରାଜ୍ୟସଭା ପାଇଁ ରାଜନୀତି ସରଗରମ ହୋଇଛି । ଏହାରି ମଧ୍ୟରେ ବିଜେଡି ପରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ହ୍ବିପ୍ ଜାରି କଲା କଂଗ୍ରେସ। କଂଗ୍ରେସ ତାର ବିଧାୟକମାନଙ୍କୁ ଏକ ହ୍ୱିପ୍ ଜାରି କରିଛି। ସମସ୍ତ କଂଗ୍ରେସ ବିଧାୟକଙ୍କୁ ୧୩ ମାର୍ଚ୍ଚରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡି ନ ଯିବାକୁ ଏବଂ ଭୁବନେଶ୍ୱରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ ଆସନ ପାଇଁ ଶାସକ ବିଜେପି ଓ ଦୁଇ ବିରୋଧୀ ବିଜେଡି-କଂଗ୍ରେସ ମଧ୍ୟରେ ସିଧାସଳକ ଲଢେଇ ଚାଲିଛି।

ସଂସଦର ଉଚ୍ଚସଦନର ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରିଛି। ଏହା ସହ ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ବିଜେପି। ବିଜେପି ପାର୍ଟିର ହୋଇ ଦିଲ୍ଲୀପ ରାୟ ନିଜକୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି କଂଗ୍ରେସ ପାଖରୁ ଜାରି ଏକ ନୋଟରେ କୁହାଯାଇଛି, କଂଗ୍ରେସର ସମସ୍ତ ବିଧାୟକଙ୍କୁ ଜଣାଇ ଦିଆଯାଉଛି ଯେ ୨୦୨୬ ମସିହାର ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ୧୬ ମାର୍ଚ୍ଚ ସୋମବାର ସକାଳ ୯ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ପରିସରରେ ଅନୁଷ୍ଠିତ ହେବ। ବିଧାୟକମାନଙ୍କୁ ମୁଖ୍ୟାଳୟ ଛାଡି ନ ଯିବାକୁ ଏବଂ ମାର୍ଚ୍ଚ ୧୩ ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ତିନି ଧାଡି ହ୍ୱିପ୍ ଭାବରେ ବିବେଚନା କରାଯାଇପାରେ ଏବଂ କଡ଼ା ପାଳନ କରିବାକୁ ଅନୁରୋଧ କରାଯାଇଛି।

ସୂଚନା ଯୋଗ୍ୟ ନିରଞ୍ଜନ ବିଶି, ମୁନ୍ନା ଖାନ (ବିଜେଡି), ସୁଜିତ କୁମାର ଏବଂ ମମତା ମହାନ୍ତ (ବିଜେପି)ଙ୍କ ଅବସର ପରେ ଏପ୍ରିଲ ୨, ୨୦୨୬ ରେ ଚାରୋଟି (୪) ଆସନ ଖାଲି ପଡୁଛି। ଖାଲିଥିବା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି, ଯେତେବେଳେ ଶାସକ ବିଜେପି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି। ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ମଧ୍ୟ ବିଜେପି ସମର୍ଥନ କରିଛି।

ରାଜ୍ୟସଭା ନିର୍ବାଚନ ୧୬ ମାର୍ଚ୍ଚ, ୨୦୨୬ ରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନ ଦାଖଲର ଶେଷ ତାରିଖ ୫ ମାର୍ଚ୍ଚ ଥିଲା। ନାମାଙ୍କନ ପତ୍ର ଯାଞ୍ଚ ୬ ମାର୍ଚ୍ଚରେ କରାଯାଇଥିଲା, ଯାହା ପରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ବୋଲି ଜଣାପଡିଥିଲା।

୧୬ ମାର୍ଚ୍ଚ ସକାଳ ୯ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ, ଏବଂ ଭୋଟ ଗଣତି ସେହି ଦିନ ସନ୍ଧ୍ୟା ୫ ଟାରେ ଆରମ୍ଭ ହେବ। କମିଶନ କହିଛନ୍ତି ଯେ ସମଗ୍ର ନିର୍ବାଚନ ପ୍ରକ୍ରିୟା ୨୦ ମାର୍ଚ୍ଚ ସୁଦ୍ଧା ଶେଷ ହେବ।

Leave a Reply

Your email address will not be published. Required fields are marked *