ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଇଛନ୍ତି ବଡ଼ ଉପହାର। କେନ୍ଦ୍ର ବଜେଟ୍ରେ ଓଡ଼ିଶାର ରେଳବାଇକୁ ମିଳିଛି ପୁଣି ରେକର୍ଡ ଅର୍ଥ। ଉପା-୨ ସରକାର (୨୦୦୯- ୨୦୧୪) ସମୟରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବାର୍ଷିକ ହାରାହାରି ୮୩୮ କୋଟି ମିଳୁଥିଲା ବେଳେ ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ରେଳ ବଜେଟ୍ରେ ଓଡ଼ିଶାକୁ ମିଳୁଛି ପ୍ରାଥମିକତା । ଆଉ ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଦାୟିତ୍ବ ନେବା ପରେ ବର୍ଷକୁ ବର୍ଷ ରେକର୍ଡ କରୁଛି ରେଳ ବଜେଟ୍ ଓଡ଼ିଶା ପାଇଁ। ୨୦୨୬-୨୭ ବର୍ଷ ପାଇଁ ଓଡ଼ିଶାକୁ ମିଳିଛି ୧୦,୯୨୮ କୋଟି । ଯାହା ଉପା- ୨ ସରକାର ସମୟର ହାରାହାରି ବାର୍ଷିକ ଆବଣ୍ଟନର ୧୩ଗୁଣା ଅଧିକ । ସୋମବାର ସାମ୍ବାଦିକ ସମ୍ମିଳନୀରେ ଅଶ୍ୱିନୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ତାଙ୍କର ଫୋକସ୍ରେ ରହିଛି ରେଳ ଭିତ୍ତିଭୂମି। ଓଡ଼ିଶାକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଆମେ କାମ କରୁଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ବିକାଶ କାମ ଜାରି ରହିଛି। କେନ୍ଦ୍ରୀୟ ବିଜେଟ୍ରେ ଓଡ଼ିଶା ରେଳ ଭିତି ଭୂମିର ବିକାଶ ପାଇଁ ପାଇଛି ଐତିହାସିକ ପ୍ରୋତ୍ସାହନ ରାଶି । ସେ କହିଥିଲେ ଯେ ଓଡ଼ିଶା ଉପରେ ଫୋକସ୍ ଏବଂ ନିରନ୍ତର ନିବେଶ କାରଣରୁ ସମଗ୍ର ରାଜ୍ୟରେ ରେଳ ଭିଭିଭୂମିରେ ଆସିଛି ବ୍ୟାପକ ପରିବର୍ତ୍ତନ। ୫ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ କରାଯିବାର ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ସେଇ ଆଧାରରେ କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା ୯୦,୬୫୯ କୋଟିରୁ ଅଧିକ ମୂଲ୍ୟର କାର୍ଯ୍ୟ ଜାରି ରହିଛି। ଏଥିରେ ନୂଆ ରେଳଲାଇନ୍ ନିର୍ମାଣ, ଷ୍ଟେସନର ପୁନର୍ବିକାଶ, ସୁରକ୍ଷା ସମ୍ବନ୍ଧୀୟ କ୍ଷେତ୍ରକୁ ଗୁରୁତ୍ବ ସହ ସମସ୍ତ ଅଞ୍ଚଳରେ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରାଯାଇଛି । ଏଥିସହ ଉନ୍ନତ ସଂଯୋଗୀକରଣ ବ୍ୟବସ୍ଥାକୁ ମଜବୁତ କରାଯାଇଛି। ସେ କହିଥିଲେ ଯେ ଅମୃତ ଷ୍ଟେସନ ଯୋଜନା ଅଧୀନରେ ୨୪୩୯ କୋଟି ନିବେଶରେ ୫୯ଟି ଷ୍ଟେସନର ପୁନର୍ବିକାଶ କରାଯାଉଛି । ୬ଟି ଷ୍ଟେସନ କାର୍ଯ୍ୟ ଶେଷ ହୋଇଗଲାଣି। ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଏକ୍ସପ୍ରେସ୍ ଚଳାଚଳ କରୁଛି। ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିପାରେ। ରେଳ ନେଟ୍ୱର୍କ ସମ୍ପର୍କରେ ସେ କହିଥିଲେ ଯେ ୨୦୧୪ ମସିହାଠାରୁ ଅଦ୍ୟାବଧୂ ୨୨ଶହ କିଲୋମିଟର ନୂଆ ଟ୍ରାକ୍ ବିଛାଯାଇଛି। ଯାହା ମାଲେସିଆର ସମଗ୍ର ରେଳ ନେଟ୍ୱର୍କ ଠାରୁ ଅଧିକ । ଏଥିସହ ରାଜ୍ୟ ୧୦୦ ପ୍ରତିଶତ ବିଦ୍ୟୁତିକରଣ (୧୫୫୯ କି.ମି.) ହାସଲ କରିଛି। ୬୩୨ ସଡ଼କ ଓଭରବ୍ରିଜ ଏବଂ ଅଣ୍ଡରପାସ୍ ନିର୍ମାଣ ହୋଇଛି । କବଚ ଭଳି ଉନ୍ନତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ ଯେ ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ ଘଟୁଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଆମକୁ ସହଯୋଗ କରୁଛନ୍ତି । ହାତୀ ମୃତ୍ୟୁ ପ୍ରସଙ୍ଗରେ ସେ କହିଛନ୍ତି ଯେ ଏ ସମ୍ପର୍କରେ ପଦକ୍ଷେପ ନିଆଯାଉଛି । ଅପ୍ଟିକାଲ ଫାଇବର କେବୁଲ ଟେକ୍ନୋଲୋଜି ସହ ଏଆଇ ବେସ୍ଡ ଥର୍ମାଲ କ୍ୟାମେରା ଖଞ୍ଜାଯାଇଛି । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ହାତୀଙ୍କ ପାଇଁ ଅଣ୍ଡର ପାସ୍ ତିଆରି ହେଉଛି। ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ଵର ଫୁଙ୍କୱାଲ ଏବଂ ଅନ୍ୟ ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ଥିଲେ । ରେଳ ମହାପ୍ରବନ୍ଧକ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶାକୁ ଗୁରୁତ୍ବ ଦେଉଛନ୍ତି । ଖୋର୍ଦ୍ଧା – ବଲାଙ୍ଗିର ରେଳପଥର ୨୨୬ କି.ମି. କାର୍ଯ୍ୟ ଶେଷ ହୋଇଛି। ୭ଟି ଟନେଲ ବ୍ରେକ୍ ଥ୍ରୁ ହୋଇଥିଲା ବେଳେ ୪.୨ କିଲୋମିଟରର ଭାୟାଡକ୍ଟ କାର୍ଯ୍ୟ ଚାଲିଛି। ଜମି ଅଧିଗ୍ରହଣଠୁ ଆରମ୍ଭ କରି ଅନ୍ୟ କ୍ଷେତ୍ର ରେ ସମ୍ପୂର୍ଣ ସହଯୋଗ କରୁଛନ୍ତି ରାଜ୍ୟ ସରକାର । ୨୦୨୬ ଶେଷ ଆଡ଼କୁ ଖୋର୍ଦ୍ଧା-ବଲାଙ୍ଗିର ରେଳ ପରିଯୋଜନା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । Post navigation President Murmu At Maa Biraja Temple: ମା’ ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Union Budget 2026: ଶ୍ରେୟ ଅଶ୍ବିନୀଙ୍କର, ମଜଭୁତ ହେଉଛି ଓଡ଼ିଶା ରେଳ ଭିତ୍ତିଭୂମି