ସ୍ୱର୍ଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆଜି ହେବ ଶେଷକୃତ୍ୟ। ବାରାମତୀ ମେଡିକାଲରୁ ପାର୍ଥୀବ ଶରୀର ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଉଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଅଜିତ ପାୱାରଙ୍କ ଆଜି ବାରାମତିରେ ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ।

ଜାନୁଆରୀ ୨୮ ତାରିଖ ସକାଳେ ବାରାମତି ବିମାନବନ୍ଦରରେ ଅବତରଣ କରିବା ସମୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଅଜିତ ପାୱାରଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଜିତଙ୍କ ସମ୍ମାନରେ ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର।

ଅନ୍ୟପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋର ଏକ ବିଶେଷଜ୍ଞ ଦଳ ଫରେନସିକ୍ ତଦନ୍ତ ଆରମ୍ଭ କରିବା ପାଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି।

ମହାରାଷ୍ଟ୍ରର ରାଜନୈତିକ ମହଲରେ “ଦାଦା” ଭାବରେ ଜଣାଶୁଣା ୬୬ ବର୍ଷୀୟ ଅଜିତ ପାୱାର ବୁଧବାର ସକାଳ ପ୍ରାୟ ୮ଟା ୧୦ରେ ପୁଣେ ଜିଲ୍ଲାର ବାରାମତି ଅଭିମୁଖେ ମୁମ୍ବାଇରୁ ବାହାରିଥିଲେ। ଫେବୃଆରୀ ୫ ତାରିଖରେ ହେବାକୁ ଥିବା ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ପ୍ରଚାର ପାଇଁ ତାଙ୍କର ଚାରୋଟି ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ, ସକାଳ ପ୍ରାୟ ୮ଟା ୪୪ରେ ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଘରୋଇ ଚାର୍ଟର୍ଡ ଲିଅରଜେଟ୍ 45 (VT-SSK) ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ପରେ ତୁରନ୍ତ ଘଟଣାସ୍ଥଳରେ ଜରୁରୀକାଳୀନ ସେବା ପହଞ୍ଚିଥିଲା ଏବଂ ରନୱେର ବାମ ପାର୍ଶ୍ୱରେ ଭଗ୍ନାବଶେଷ ମିଳିଥିଲା।

ବାରାମତୀର ଆଠ ଥର ବିଧାୟକ ଏବଂ ଥରେ ବାରାମତୀର ସାଂସଦ ଥିବା ଅଜିତ ପାୱାରଙ୍କ ମୃତ୍ୟୁ ମହାରାଷ୍ଟ୍ରର ରାଜନୈତିକ ଇତିହାସରେ ଏକ ପ୍ରମୁଖ ସ୍ତମ୍ଭର ପତନକୁ ଚିହ୍ନିତ କରେ। ତାଙ୍କ ମୃତଦେହକୁ ବାରାମତୀର ବିଦ୍ୟା ପ୍ରତିଷ୍ଠାନରେ ଅନ୍ତିମ ସଂସ୍କାର ପାଇଁ ରଖାଯାଇଛି, ଯାହା ଅଜିତ ପାୱାରଙ୍କ ନିଜ ତତ୍ତ୍ୱାବଧାନରେ ନିର୍ମିତ ହୋଇଥିଲା। ବିଦ୍ୟା ପ୍ରତିଷ୍ଠାନ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ।

Leave a Reply

Your email address will not be published. Required fields are marked *