BJD Holds Key Political Affairs Committee Meeting
ଆଜି ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠ ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି ।
 
ଏହି ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦଳର ସଭାପତିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଦଳର ସଭାପତିଙ୍କର ରାଜନୈତିକ ପରାମର୍ଶଦାତା ଡ଼ ସଂତୃପ୍ତ ମିଶ୍ର, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ବିକ୍ରମ ଆରୁଖ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଓ ଡ଼ ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।
 
ଗଣମାଧ୍ୟମକୁ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ତଥା ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ଚାଷୀକୁଳକୁ ପ୍ରତିଶ୍ରୁତି ଦିଆଯାଇଥିଲା, ବିଜେପି ସରକାର ଆସିଲେ ଓଡ଼ିଶାର ଚାଷୀ ମାନଙ୍କର ସମସ୍ତ ବଳକା ବିକ୍ରିର ଯୋଗ୍ୟ ଧାନ ସଂଗ୍ରହ କରିବୁ ଏବଂ ଏମ୍ଏସ୍ପି ସହିତ ଇନପୁଟ୍ ସବ୍ସିଡି ମିଶାଇ ୩୧୦୦ ଟଙ୍କାରେ ଧାନ କିଣିବୁ । କିନ୍ତୁ ଗୋଟିଏ ବର୍ଷର ଖରିଫ୍ ସିଜିନ୍ ପରେ ସରକାର ଘୋଷଣା କଲେ ଆମେ ୧୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ କିଣିବୁ, ଆଉ ବଳକା ଧାନ ଚାଷୀ ଖୋଲା ବଜାରରେ ବିକି୍ର କରିଦିଅନ୍ତୁ ।
BJD Holds Key Political Affairs Committee Meeting
ରାଜ୍ୟରେ ଚରମ ଆଇନ ଶୃଙ୍ଖଳା ପରିସ୍ଥିତି, ସଂଖ୍ୟାଲଘୁ ଓ ଦଳିତ ମାନଙ୍କ ପ୍ରତି ଅତ୍ୟାଚାର, ପଲୁ୍ୟସନ ସାର୍ଟିଫିକେଟ୍ ନାଁରେ ଲୋକଙ୍କ ଉପରେ ଜିଜିଆ କର ଆଦାୟ କରିବା, ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ସ୍କାମକୁ ନେଇ ଆଜି ବୈଠକରେ ବ୍ୟାପକ ଭାବରେ ଆଲୋଚନା କରାଯାଇଛି ।
 
ଦୁର୍ନୀତିରେ ଶୂନ୍ୟ ସହନଶୀଳତା, ଚିଟଫଣ୍ଡ ସ୍କାମ ରେ ପ୍ରଭାବିତ ଜନସାଧାରଣଙ୍କୁ ୧୮ ମାସ ମଧ୍ୟରେ ପ୍ରାପ୍ୟ ପ୍ରଦାନ, ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଓଡ଼ିଶାର ଚାଷୀକୁଳକୁ ବିନା କଟନୀ ଛଟନୀରେ ୩୧୦୦ ଟଙ୍କା କୁଇଣ୍ଟାଲ ପ୍ରତି ପ୍ରାପ୍ୟ, ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ପ୍ରଦାନ, ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି, ବୟସ୍କ ବ୍ୟକ୍ତିମାନଙ୍କୁ ୩ ହଜାର ଟଙ୍କା ଭତ୍ତା, ୩୦୦ ୟୁନିଟ୍ ମାଗଣା ବିଜୁଳି, ମତ୍ସ୍ୟଜୀବୀ ମାନଙ୍କୁ ୧୦ ହଜାର ଟଙ୍କା ଭତ୍ତା, ପଞ୍ଚାୟତ, ଜିଲ୍ଲା ସଦର ମହକୁମା ଓ ଷ୍ଟେଟ୍ କ୍ୟାପିଟାଲକୁ ନୂତନ ଭାବେ ୭୫,୦୦୦ କିମି ଗ୍ରାମ୍ୟ ଓ ସହରୀ ରାସ୍ତା ନିର୍ମାଣ, ୪ଟି ସହରରେ ଆଇଟି ପାର୍କ, ମେକ୍ ଇନ୍ ଓଡ଼ିଶା ସ୍କିମ୍ ମାଧ୍ୟମରେ ଓଡ଼ିଶାର ବିକାଶ, ପାରାଦୀପ, ଧାମରା, ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଶିଳ୍ପ କରିଡ଼ର ପ୍ରତିଷ୍ଠା, ୨ ବର୍ଷ ମଧ୍ୟରେ ୬୫ ହଜାର ନିଯୁକ୍ତି, କେନ୍ଦୁପତ୍ର ତୋଳାଳୀ ମାନଙ୍କର ସମସ୍ୟାର ସମାଧାନ କରିବା ବିଷୟରେ ଆଲୋଚନା ହୋଇଥିଲା ।
 
ସେଇଭଳି ପିଏମ୍ ଆବାସ ଯୋଜନା ମାଧ୍ୟମରେ ୧୫ ଲକ୍ଷ ନୂତନ ଗୃହ ନିର୍ମାଣ, ଜଳଜୀବନ ମିଶନ ଜରିଆରେ ୨୬ ଲକ୍ଷ ପରିବାରକୁ ପିଇବା ପାଣିର ବ୍ୟବସ୍ଥା, ବାକି ଥିବା ପୁରୀ ପରିକ୍ରମା ପ୍ରୋଜେକ୍ଟର ପୂର୍ଣ୍ଣାଙ୍ଗ, ପଶ୍ଚିମ ଓଡ଼ିଶାରେ ୩ଟି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜୁ ଜନତା ଦଳର ଉପସଭାପତି ତଥା ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ସଞ୍ଜୟ କୁମାର ଦାସବର୍ମା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଜୁ ଜନତା ଦଳ ଖୁବଶୀଘ୍ର ରାଜ୍ୟବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ରୂପରେଖ ଘୋଷଣା କରିବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *