ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି ଆଦର୍ଶ। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରାଯାଇଛି। ଓଡ଼ିଶା ସରକାର ତାଙ୍କ ପରିବାରର ଯୋଗାଯୋଗରେ ରହି ଆଦର୍ଶଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ସୂଚନା ଯୋଗ୍ୟ; ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ କୁମାର ବେହେରା ୨୦୨୨ ମସିହାରୁ ସୁଦାନରେ କାମ କରୁଥିଲେ। ପରେ, ତାଙ୍କ ପରିବାର ବର୍ଗ ପାଖକୁ ଖବର ଆସିଥିଲା ଯେ, ଆଦର୍ଶ ବର୍ତ୍ତମାନ ନିଖୋଜ ଅଛନ୍ତି ଏବଂ ତାଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ । ଆଦର୍ଶ ସୁଦାନର ଉତ୍ତର ଡରଫର୍ ରାଜ୍ୟର ଏଲ୍ ଫାସର୍ ସହର (El Fasher City of North Darfur State) ରେ ନିଖୋଜ ଥିଲେ। ଭାରତ ସରକାର ତାଙ୍କୁ କିଛି ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ( interlocutor) ସହଯୋଗରେ ଉଦ୍ଧାର କରିଛନ୍ତି। ଆଦର୍ଶଙ୍କ ଫେରିବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଦର୍ଶ ନିଖୋଜ ଖବର ପାଇ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିବା ସହ ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଏଥି ସହିତ, ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ମଧ୍ୟ ବୈଦେଶିକ ମନ୍ତ୍ରାଳୟକୁ ପତ୍ରଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ୍ ଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ଅନ୍ୟପଟେ ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଲେ ଆଦର୍ଶ ବେହେରା । ସେ କହିଛନ୍ତି ସୁରକ୍ଷିତ ସ୍ଥାନାକୁ ଯିବା ବେଳେ RSF ଅପହରଣ କରିନେଇଥିଲା । ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ। ଭାରତୀୟ ବୋଲି ଜାଣି ନଥିଲେ, ୧୫ରୁ ୨୦ ଜଣ ଅପହରଣ କରିନେଇଥିଲେ । ୨,୩ ଦିନ ଜଙ୍ଗଲ ଓ ପରେ ଜେଲ୍ରେ ରଖିଥିଲେ । ମୁଁ ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି । ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ । ୩ ଜଣଙ୍କୁ ଅପହରଣ କରି ନେଇଥିଲେ, ପରେ ମାଲିକଙ୍କୁ ଛାଡ଼ିଦେଇଥିଲେ । ଶାହରୁଖ ଖାନଙ୍କୁ ଜାଣିଛ ବୋଲି ପଚାରୁଥିଲେ । Post navigation Dhauli Gang Rape Case: ଧଉଳି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ବିବୃତି ନିନ୍ଦନୀୟ: ବିଜେଡି Delhi Pollution: ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ