ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ମାଝୀ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଆରାମଦାୟକ ଭିଆଇପି ବଙ୍ଗଳା ନେବାର ଯଥାର୍ଥତାକୁ ପ୍ରଶ୍ନ କରିଛି ବିଜୁ ଜନତା ଦଳ । ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ବଙ୍ଗଳା ନେଇ, ଓଡ଼ିଶା ଶାସନର ଡୋରୀ ଦିଲ୍ଲୀରେ ରଖିବାକୁ ଚାହୁଁଛି ରାଜ୍ୟ ବିଜେପି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଦେଶର ସବୁଠୁ ଦକ୍ଷ କୁହାଯାଉଥିବା ଦିଲ୍ଲୀ ପୋଲିସ୍ ବଦଳରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସ୍ର ୧ ପ୍ଲାଟୁନ୍ ସଶସ୍ତ୍ର ଫୋର୍ସର ସୁରକ୍ଷା ବଳୟ ମଧ୍ୟରେ ରହିବେ । ଗୃହ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର ଦିଲ୍ଲୀର ଭିଆଇପି ଅଞ୍ଚଳ ଭାବେ ପରିଚିତ ତିନ୍ ମୂର୍ତ୍ତି ଲେନ୍ର ବଙ୍ଗଳା ନଂ-୨ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆବଣ୍ଟନ କରିଛନ୍ତି । ପ୍ରୋଟୋକଲ ଅନୁଯାୟୀ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଗଲେ ଦିଲ୍ଲୀ ପୋଲିସ୍ ପକ୍ଷରୁ ତାଙ୍କୁ ନିରାପତ୍ତା ଯୋଗାଇ ଦିଆଯାଇଥାଏ । କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସୁରକ୍ଷା ନିମନ୍ତେ ଦିଲ୍ଲୀ ପୋଲିସ୍ ଉପରେ ଭରସା ନ କରି ରାଜ୍ୟ ତହବିଲ୍ରୁ ବିପୁଳ ଅର୍ଥ ବ୍ୟୟରେ ଓଡ଼ିଶା ପୋଲିସ୍ର ୧ ପ୍ଲାଟୁନ୍ ଫୋର୍ସ ନେବାର ଯଥାର୍ଥତା କ’ଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଲେନିନ ମହାନ୍ତି ଆହୁରି କହିଛନ୍ତି ଯେ, ରାଜ୍ୟବାସୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ଓଡ଼ିଶା ସଦନ ଅଛି । ଓଡ଼ିଶା ଭବନର ପୁନଃ ନିର୍ମାଣ ପାଇଁ ଭାଙ୍ଗି ଦିଆଗଲା ପରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ରହିବା ପାଇଁ ଏକ ତାରକା ହୋଟେଲରେ ସୁବ୍ୟବସ୍ଥା କରାଯାଇଛି । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ମୋହନ ମାଝୀ ଏଥିରେ ସନ୍ତୁଷ୍ଟ ନ ହୋଇ ନିଜ ପାଇଁ ଭିଆଇପି ବଙ୍ଗଳା ନେଇ ଦିଲ୍ଲୀରେ ଓଡ଼ିଶା ଶାସନର ଡୋରୀ ରଖିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ବନେ୍ଦାବସ୍ତ ଆଗରୁ କେବେ ଶୁଣାଯାଇ ନଥିଲା । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ମଧ୍ୟ ଅତ୍ୟନ୍ତ ନିରାଡ଼ମ୍ବର ଜୀବନଯାପନ କରୁଥିବା ନବୀନ ବାବୁ, ଦିଲ୍ଲୀରେ ରାଜ୍ୟ ତହବିଲ୍ରୁ ଅର୍ଥ ଖର୍ଚ୍ଚ କରି ବଙ୍ଗଳା ନେବା ପାଇଁ କେବେ ଚିନ୍ତା କରିନଥିଲେ । ଦେଢ଼ ବର୍ଷର ମୁଖ୍ୟମନ୍ତ୍ରୀ ହୋଇ ମୋହନ ମାଝୀଙ୍କୁ ଏଭଳି ଆବଶ୍ୟକତା କାହିଁକି ପଡ଼ିଲା ? ଓଡ଼ିଶା ବିଜେପିରେ କ୍ଷମତା ବିବାଦର ଉଗ୍ର ରୂପ ସକାଶେ ମୁଖ୍ୟମନ୍ତ୍ରୀ ଅସୁରକ୍ଷିତ ଅନୁଭବ କରୁଛନ୍ତି କି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।

ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଥିଲେ ଯେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେଲା ପରେ ଲୋକେ ଆଶା କରିଥିଲେ, ରାଜ୍ୟ ପାଇଁ କେନ୍ଦ୍ରୀୟ ଅନୁଦାନ ଓ ସହାୟତା ଦୁଇ ଗୁଣ ହେବ ବୋଲି । କିନ୍ତୁ ପ୍ରତ୍ୟେକ ମାସରେ ଏକାଧିକ ବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କଲା ପରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ବଢ଼ିବା ପରିବର୍ତ୍ତେ କମୁଛି । କେନ୍ଦ୍ର ଉପରେ ରାଜ୍ୟର ଥିବା ବକେୟା ଅର୍ଥ ମିଳିପାରୁ ନାହିଁ । ରାଜ୍ୟର ଋଣ ଭାର ଦେଢ଼ ବର୍ଷ ଭିତରେ ଅହେତକୁ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ଦିଲ୍ଲୀରେ ଭିଆଇପି ବଙ୍ଗଳା ନେବା କ’ଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପରିଚୟ କି ? ଜନସାଧାରଣଙ୍କ ଅବଗତି ନିମନ୍ତେ ମୁଖ୍ୟମନ୍ତ୍ରୀ ଏ ବାବଦରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *