Govt afraid of students elections due to Soumyashree incident, alleges congress
ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଅପରାଧୀ ଭାବରେ ଏବିଭିପି ନେତା ଗିରଫ ହେବା ପରେ ସମଗ୍ର ଓଡିଶା ଛାତ୍ର ସମାଜରେ ବିଜେପି ନିନ୍ଦିତ ହେଇଛି । ତେଣୁ ସରକାରଙ୍କୁ ପରାଜୟର ଭୟ ଘାରିଛି, ଏଥି ସକାଶେ ନିର୍ବାଚନକୁ ସରକାର ଏଡେଇ ଯିବାକୁ ଚାହୁଁଛନ୍ତି ବୋଲି ଯୁବ ଓ ଛାତ୍ର କଂଗ୍ରେସ ତରଫରୁ କୁହାଯାଇଛି ।
 
ସରକାରଙ୍କ ଛାତ୍ର ନିର୍ବାଚନକୁ ନେଇ କୌଣସି ଆଗ୍ରହ ନାହିଁ । ସରକାର ନିର୍ବାଚନ କରିବେ ନା ନାହିଁ, ଛାତ୍ର ମହଲରେ ବର୍ତ୍ତମାନ ଅସନ୍ତୋଷର କୁହୁଡି ଘୋଟିବାରେ ଲାଗିଲାଣି । ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନଠାରେ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା ।
 
ଗଣମାଧ୍ୟମକୁ ସରକାରଙ୍କ ଅପାରଗତା ବିଷୟରେ ଉଲ୍ଲେଖ କରି ବରିଷ୍ଠ କଂଗ୍ରେସ ନେତା ଅଜୟ ମହାପାତ୍ର କହିଲେ, ଛାତ୍ର ସଂସଦ ନିର୍ବାଚନ ହେଉଛି ଗଣତନ୍ତ୍ରର ଅନ୍ତୁଡ଼ିଶାଳ କିନ୍ତୁ ପରିତାପର ବିଷୟ ସରକାର ଦୀର୍ଘ ବର୍ଷ ହେଲା ନିର୍ବାଚନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
 
ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ମନୋଜ ବିଶ୍ୱାଳ ବିଜେପି ସରକାରର ଦୋମୁହାଁ ନୀତି ବର୍ଣନା କରି କହିଲେ, ବିଜେଡି ସରକାରରେ ଥିବାବେଳେ ଛାତ୍ରସଂସଦ ନିର୍ବାଚନ କାହିଁକି ହେଉନି ବୋଲି ବିଜେପି ରଖେଇଥୁଏଇ ଦେଉନଥିଲେ । ନିଜ ଦଳ ସରକାରକୁ ଆସିବା ପରେ ଏବେ କାହିଁକି ନିରବ? ଯାହା ଶିକ୍ଷାମନ୍ତ୍ରୀ କହିବା କଥା ତାହା ଆଇନ ମନ୍ତ୍ରୀ କହୁଛନ୍ତି । ଆଇନ ମନ୍ତ୍ରୀ ୨୦୨୪ ରେ କହିଥିଲେ ନିର୍ବାଚନ ହେବ କିନ୍ତୁ କରିଲେ ନାହିଁ ପୁଣି ୨୦୨୫ ନିର୍ବାଚନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
 
ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀ ଖୋଦ ନିର୍ବାଚନ ହେବ ବୋଲି ପ୍ରତିଶୃତି ଦେଇଥିଲେ, କିନ୍ତୁ ତା ବି ଧୂଆଁର ବାଣ ସାବ୍ୟସ୍ତ ହେବାକୁ ଯାଉଛି l
 
ପିସିସି ସଭାପତି ଭକ୍ତ ଚରଣ ଦାସ ଛାତ୍ର ସଂସଦ ନିର୍ବାଚନ ନହେବା ଅର୍ଥ ରାଜନୈତିକ ନେତାଙ୍କ ଭୃଣ ହତ୍ୟା ସଦୃଶ ବୋଲି କହିଥିଲେ ଯାହା ବର୍ତ୍ତମାନର ସରକାର ହତ୍ୟା କରିବାକୁ ଯାଉଛି । ତେବେ ସରକାର ଯଦି ଆଗାମୀ ୬ ଦିନ ଭିତରେ ଛାତ୍ର ନିର୍ବାଚନ ଘୋଷଣା ନ କରେ ତେବେ ଛାତ୍ର କଂଗ୍ରେସ ରାଜ୍ୟର ପ୍ରତ୍ୟେକ କେମ୍ପସରେ ଦସ୍ତଖତ ଅଭିଯାନ, ବିକ୍ଷୋଭ ପ୍ରଦର୍ଶନ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକର ଚାନସେଲରଙ୍କ ସାଥିରେ ଆଲୋଚନା ଆଦି କାର୍ଯ୍ୟକ୍ରମ କରିବ ବୋଲି ଛାତ୍ରନେତା ବିଶ୍ୱାଳ ଚେତାବନୀ ଦେଇଛନ୍ତି ।
 
ଛାତ୍ର ନିର୍ବାଚନ ଉପରେ ବିଜେଡି ଯେଭଳି ଦୀର୍ଘ ବର୍ଷ ଧରି ରୋକ ଲଗାଇଥିଲା ବିଜେପି ମଧ୍ୟ ବିଜେଡିର ପଦାଙ୍କ ଅନୁସରଣ କରୁଛି । ସରକାର ପୌର ନିର୍ବାଚନ, ଛାତ୍ର ନିର୍ବାଚନ କରୁନାହାନ୍ତି, ବିଡ଼ିଓଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ ଆଦି ଗଣତନ୍ତ୍ର ପ୍ରତି ବିଜେପିର ଦୃଷ୍ଟିକୋଣ କଣ ଅଛି ତାହା ସୂଚାଇ ଦେଉଛି । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଆମେ ଟିମ ହୋଇ ପ୍ରସ୍ତୁତ ଅଛୁ । ପିସିସିର ନେତୃବୃନ୍ଦଙ୍କ ଆମ ପ୍ରତି ସହଯୋଗ ଅଛି ବୋଲି ବିଜେବି କଲେଜ ୟୁନିୟନର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱ ଭୂଷଣ କହିଥିଲେ ।
 
ମୁଖ୍ୟମନ୍ତ୍ରୀ ନିଜେ ଛାତ୍ର ନିର୍ବାଚନ ହେବ ବୋଲି କହିବା ସତ୍ୱେ ନିର୍ବାଚନର ନୋଟିଫିକେସନ ମଧ୍ୟ ଏପର୍ଯ୍ୟନ୍ତ ଆସିନି, ଯାହା ଦୁର୍ଗାପୂଜା ଆଗରୁ ଆସିଥାଏ । ଆଉ ୬ ଦିନପରେ ପାର୍ବଣ ଛୁଟି କିନ୍ତୁ ଶିକ୍ଷାମନ୍ତ୍ରୀଙ୍କ ଦେଖା ମିଳୁନି । ଦୁଃଖର କଥା ରାଜ୍ୟ ଏକ ଅଯୋଗ୍ୟ ଶିକ୍ଷାମନ୍ତ୍ରୀ ପାଇଛି ବୋଲି ଛାତ୍ର ନେତା ଆଶିଷ ମାହୁନ୍ତ ତାଙ୍କ ବିବୃତି ରଖିଥିଲେ ।
 
ଏହି ଛାତ୍ର ନିର୍ବାଚନ ପ୍ରସଙ୍ଗ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଛାତ୍ରନେତା ମନୋଜ ବିଶ୍ୱାଳ, ବିଶ୍ୱ ଭୂଷଣ ଦାସ, ଆଶିଷ ମାହୁନ୍ତ, ସନ୍ଦୀପ ରାଉତରାୟ, ସାଗର ପଟ୍ଟନାୟକ, ବିଭୁତି ମହାପାତ୍ର ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *