ଯାହା ହଉ ପ୍ରଥମ ଥର ପାଇଁ ମନକୁ ଖୁସି କଲାପରି ଦୃଶ୍ୟ ପଡ଼ିଲା ଆଖିରେ । ପୁଲିସ ଫୌଜ ପଶିଲେ ବାଣୀବିହାର ଭିତରକୁ । ୧୦ ନା ୧୬ ପ୍ଲାଟୁନ ଫୋର୍ସ । ହଷ୍ଟେଲ ଭିତରେ ପଶିଲେ । ଅନେକ ରୁମର ଚାବି ଭାଙ୍ଗିଲେ। ଆସବାସପତ୍ର ବାହାରକୁ ଫୋପାଡିଲେ । ତା’ ଭିତରେ ଗ୍ୟାସ, ଷ୍ଟୋଭ ବି ଥିଲା। ଆହୁରି ରକମର ଜିନିଷ ଭର୍ତ୍ତି ହେଇଥିଲା । ୧୬୦ରୁ ଅଧିକ ଅଣଛାତ୍ର ବୋପା ଘର ବୋଲି ରାବି ରହୁଥିଲେ ବିଶ୍ବବିଦ୍ୟାଳୟ ହଷ୍ଟେଲରେ । ସେମାନଙ୍କୁ ନିକାଲି ଦିଆଯାଇଛି। ଏଥିରେ ଆଡମିଶନ ନେଇଥିବା ଛାତ୍ରମାନେ ଭାରି ଖୁସ୍ । ଏତେ ସଂଖ୍ୟକ ଅଣଛାତ୍ର ହଷ୍ଟେଲ ରୁମ କବ୍ଚ୍ଛା କରିନେଲେ ସେମାନଙ୍କ ପାଇଁ ଆଉ ଦି’ଟା ହଷ୍ଟେଲ ତିଆରି ହବ କି ? ସକାଳୁ ବିଶ୍ବବିଦ୍ୟାଳୟର ଅଧ୍ୟାପକମାନେ ହଷ୍ଟେଲ ଗଲେ । ଚିହ୍ନଟ କଲେ କିଏ ଛାତ୍ର କିଏ ଅଣଛାତ୍ର। ତା’ପରେ ଆରମ୍ଭ ହେଲା ପୁଲିସ ଆକ୍ସନ । ଏହାକୁ ଦେଖି ପଦ୍ମ ଦଳିଆ କହିଲେଣି ଏହା ଆମ ସରକାରଙ୍କ ଅପରେସନ ବ୍ଲୁ ଷ୍ଟାର । ଏକଥା ଶୁଣି ଆମ ଆଣ୍ଟିନା ଠିଆ । ୧୯୮୪ରେ ଅମୃତସରର ସର୍ବମନ୍ଦିରରେ ପ୍ରବେଶ କରିଥିଲା ସେନାବାହିନୀ । ଏହାକୁ କୁହାଯାଇଥିଲା ଅପରେସନ ବ୍ଲୁ ଷ୍ଟାର। ସେତେବେଳେ ପ୍ରଧାନମନ୍ତ୍ରୀ ଥାଆନ୍ତି ଇନ୍ଦିରା ଗାନ୍ଧୀ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଥାଆନ୍ତି କଂଗ୍ରେସର ଦରବାରା ସିଂ । ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂ। କିନ୍ତୁ ସ୍ଵର୍ଣ୍ଣମନ୍ଦିର ଭିତରେ ଆଡ୍ଡା ଜମେଇ ରହିଥିଲା କର୍ଣ୍ଣେଲ ସିଂ ଭିନ୍ଦେନଓ୍ୱାଲା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠୁଳ ହେଇଥିଲା ସ୍ଵର୍ଣ୍ଣମନ୍ଦିର ଭିତରେ । ଖଲିସ୍ତାନୀ ଆନ୍ଦୋଳନ ସେଇଠୁ ଚାଲିଥିଲା ପଞ୍ଜାବରେ। ଭିନ୍ଦ୍ରେନୱାଲା ଥିଲା କଂଗ୍ରେସର ଭସ୍ମାସୁର। ଅପରେସନ ବ୍ଲୁ ଷ୍ଟାରରେ ଭିନ୍ଦ୍ରେନୱାଲା ପ୍ରାଣ ହରାଇଥିଲା । ବହୁ ଲୋକ ମରିଥିଲେ । ମନ୍ଦିରର ବହୁ କ୍ଷତି ହୋଇଥିଲା । ଏହାର ପରିଣତି ସରୂପ ଇନ୍ଦିରାଙ୍କୁ ଦୁଇଜଣ ଶିଖ ଅଙ୍ଗରକ୍ଷକ ଗୁଳି କରି ହତ୍ୟା କରିଥିଲେ । ପଦ୍ମ ଦଳିଆଙ୍କ କଥା ଶୁଣି ଆମ ମନରେ ଦି’ ଚାରିଟା ପ୍ରଶ୍ନ ଉଠିଚି । ହଷ୍ଟେଲକୁ ଆଡ୍ଡା ବନାଇଥିବା ଅଣଛାତ୍ର ବାହିନୀ ଭିତରୁ ଭିନ୍ଦ୍ରେନୱାଲା କିଏ ? ଏକଥା ପଦ୍ମଦଳିଆ ଆମକୁ ଖୋଲାଖୋଲି କହିବା କଥା। ଆମେ ଜାଣିଚୁ ଦରବାରା ସିଂ ହେଲେ ବିଶ୍ବବିଦ୍ୟାଳୟର କୁଳପତି । ଆଖିବୁଜି ବସିଥିଲେ। ଗତବର୍ଷ ଠାରୁ ଆକ୍ସନ ନବା କଥା । କିନ୍ତୁ ସେ ଟେଣ୍ଡର ଫେଣ୍ଟରରୁ ବାହାରି ପାରିଲେ ସିନା ! ସେ କ’ଣ ଜାଣିନଥିଲେ ହଷ୍ଟେଲରେ ଛାତ୍ର ନୁହନ୍ତି ଅଣଛାତ୍ର ମାନେ ରହୁଛନ୍ତି । ଏବେ କାର୍ଯ୍ୟାନୁଷ୍ଠାନ କାହିଁକି ? ଭଲେଇ ହବା ପାଇଁ ନୁହେଁ । ଛାତ୍ର ସଂସଦ ନିର୍ବାଚନ ହଉଚି ବୋଲି ବାଧ୍ୟ ହେଇ ଏହା କରିଚନ୍ତି ଓ ପୁଲିସର ସହାୟତା ନେଇଛନ୍ତି । ଶଙ୍ଖ ସରକାର ଥିଲା ବେଳେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେଲା । ଶଙ୍ଖ ଛାତ୍ର ଓ ସେମାନଙ୍କୁ ସମର୍ଥନ କରୁଥିବା ଅଣଛାତ୍ରଙ୍କ ଦବଦବା ବଢ଼ିଲା । କୂଳପତିମାନଙ୍କର ସାହସ ବି ନଥିଲା । ଉତ୍କଳ ବିଶ୍ବବିଦ୍ୟାଳୟକୁ କଉଁଠୁ ଆଣି କଉଁଠି ପହଞ୍ଚାଇ ଦେଇଥିଲେ ଶଙ୍ଖ ସରକାର ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ? Post navigation ଦିଲ୍ଲୀରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ: ମନମୋହନ ସାମଲ ବିଏମ୍ସି ଅଫିସ୍ ଆଗରେ କର୍ପୋରେଟରଙ୍କ ଧାରଣା