ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା । ରାଜ୍ୟରେ ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଡିଜିଟାଲ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ମତାମତ ନେବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ । ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସରକାରକୁ ଆସିବାର ପ୍ରଥମ ଦିନରୁ ଜନତାଙ୍କ ସେବା କରିବା ପାଇଁ ପ୍ରତିବଦ୍ଧ ହୋଇ କାମ କରୁଛୁ । ଆଗରୁ ଯେଉଁଠି ଲୋକଙ୍କ ପାଇଁ ଶାସନ ଓ ପ୍ରଶାସନ ଅପହଞ୍ଚ ଥିଲା, ଏବେ ସରକାର ନିଜେ ଲୋକଙ୍କ ପାଖରେ ପହଞ୍ଚୁଛି। ଲୋକଙ୍କ ସରକାର ଲୋକଙ୍କ ମତାମତକୁ ଅନୁସରଣ କରି, ପ୍ରତ୍ୟେକ ନାଗରିକଙ୍କ ସେବା, ସୁବିଧା ଓ ଅଧିକାର ସୁନିଶ୍ଚିତ କରୁଛନ୍ତି। ଜନତାଙ୍କ ସହ ଯୋଡ଼ିହେବାର ଏହି ପ୍ରୟାସକୁ ଆଉ ପାଦେ ଆଗକୁ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ଆମ ଶାସନ’।

‘ଆମ ଶାସନ’ କେବଳ ଏକ ଯୋଜନା ନୁହେଁ, ଏହା ଶାସନକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ସରକାରଙ୍କ ଦୃଢ଼ ସଙ୍କଳ୍ପ। କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନେବେ । ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ଏବଂ ସିଧାସଳଖ ଟୋଲ୍ ଫ୍ରି ନମ୍ବର- ୧୪୪୭୧କୁ ଫୋନ୍ କରି ମତାମତ ଦେଇପାରିବେ ସାଧାରଣ ଜନତା ।

Leave a Reply

Your email address will not be published. Required fields are marked *