ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକାଙ୍କ ମୃତ୍ୟୁ ହୋଇଛି । ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା ଯୋଗୁଁ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ବିଶେଷଜ୍ଞ ଡାକ୍ତରଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା କରାଯାଇ ପାରିଲାନି ।ଦିଲ୍ଲୀ AIIMS ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ପୀଡ଼ିତାଙ୍କର ପୋଡ଼ିଯାଇଥିବା ଅଂଶରେ ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାର ପରେ ମଧ୍ୟ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ସେ ଅକ୍ସିଜେନ ସପୋର୍ଟରେ ଥିଲେ । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନିରନ୍ତର ନଜର ରଖିଥିଲେ । ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ ବୋଲି ସେ କହିଛନ୍ତି । Post navigation ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମାଡ଼ ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ କରିଛି ପୋଲିସ