ଖରିଫ ଧାନ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ କଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଚାଷୀ କେବଳ ଗୋଟିଏ ସେଲ୍ପ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରିବେ। ଯାହା ନାଁ ରେ ରେକର୍ଡ ଯଥା ବାପା କିମ୍ବା ଭାଇ ନାଁ ରେ ରେକର୍ଡ ଥିଲେ କେବଳ ଲେଖିକି ଦେବେ । ଏଥିପାଇଁ ସ୍ବତନ୍ତ୍ର ଫର୍ମ ମଞ୍ଜୁର କରିଛନ୍ତି ସରକାର ।ଯାହାଦ୍ବାରା ଧାନ କିଣା ପଞ୍ଜିକରଣରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଯଦି କୌଣସି ସମସ୍ୟା ଉପୁଜେ ତେବେ ସରକାର ଦେଇଥିବା ଫୋନ୍ ନମ୍ବରରେ ଫୋନ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୩୮ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି। ଗତବର୍ଷ ଏହି ସମୟରେ ୩ ଲକ୍ଷ୍ୟ ୪୮ ହଜାର ଚାଷୀ ପଞ୍ଜିକରଣ କରିଥିଲେ। ଏଥର ପଞ୍ଜିକରଣ ୪ ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ସତ୍ତ୍ୱେ ମାତ୍ର ୧୦ ହଜାରର ବ୍ୟବଧାନ ରହିଛି । ଏହି ବ୍ୟବଧାନ ଶୀଘ୍ର ପୂରଣ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପଞ୍ଜିକରଣ ପରେ କେତେ ଧାନ ସଂଗ୍ରହ ହେବ ଆଉଟିକେ ସ୍ପଷ୍ଟ ହୋଇଯିବ। ଇ-କେୱାଇସିରେ ଅନେକ ଅଯୋଗ୍ୟ ଚାଷୀ ଧରାପଡ଼ିଲେଣି। ସେଥିରୁ ମଧ୍ୟ ଚାଷୀ ସଂଖ୍ୟା କମିପାରେ। ଚାଷ ଯେଉଁ ଜାଗାରେ ହେଉ ନଥିଲା ସେଠି ବି ଏଥର ଚାଷ ହୋଇଛି। ନିଶ୍ଚୟ ଧାନ ଏବଂ ଚାଉଳ ଉତ୍ପାଦନ ବଢିବ। ଅନ୍ୟପଟେ ବହୁସ୍ଥାନରେ ଖରିଫ ଧାନ ସଂଗ୍ରହରେ ବାଧକ ସାଜିଛି ଆଇ ସ୍କାନର । ୧୬ଟି ଜିଲ୍ଲାରେ ଆବଶ୍ୟକ ସ୍କାନର ମେସିନ୍ ନଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ରାଜ୍ୟରେ ମୋଟ ୯୭୯ଟି ମେସିନ୍ ଆବଶ୍ୟକ ରହିଛି । ଏଥିମଧ୍ୟରେ ଯାଜପୁରରେ ୧୪୭, ନବରଙ୍ଗପୁରରେ ୧୧୫, ସୁନ୍ଦରଗଡ଼ରେ ୧୦୪ ଏବଂ ଭଦ୍ରକରେ ୧୦୦ ମେସିନ୍ ଦରକାର ରହିଛି । ଯାହାକୁ ନେଇ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ଖରିଫ ଧାନ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ ନୁହେଁ କିପରି କମ ଚାଷୀ ପଞ୍ଜିକରଣ କରିବେ, ସେନେଇ ବ୍ୟବସ୍ଥା କରିଛନ୍ତି ସରକାର । ଏହା ଦ୍ବାରା ବହୁ ଚାଷୀ ଏଥର ଧାନ ବିକ୍ରିରୁ ବଞ୍ଚିତ ହେବେ । ଏଫସିଆଇ ଚାଉଳ ନେଉ ନଥିବାରୁ ସରକାର ଏପରି ଚାଷୀମାରଣା ନୀତିକୁ ଆପଣାଇଛନ୍ତି । ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ନିର୍ବାଚନ ସମୟରେ ଚାଷୀଙ୍କୁ ନାନା ସ୍ବପ୍ନ ଦେଖାଇ କ୍ଷମତାକୁ ଆସିଥିଲା ବିଜେପି । ପ୍ରଥମ ବର୍ଷ ବୋନସ ଟଙ୍କା ମଧ୍ୟ ଦେଲେ । ହେଲେ ଏବେ ଚାଷୀ କିପରି ବୋନସ ପାଇବେନି ସେ ବ୍ୟବସ୍ଥା କରିଛନ୍ତି ସରକାର । ପଞ୍ଜିକରଣ ବ୍ୟବସ୍ଥାକୁ ସରଳ କରାଯାଇଥିବା ନେଇ କହୁଛନ୍ତି ସରକାର । କିନ୍ତୁ ପଞ୍ଜିକରଣ ବେଳେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । Post navigation ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ବିଧାନସଭା ଘେରିବେ ୨୦ ହଜାର ମହିଳା: ଭକ୍ତ ଦାସ