ବଳଙ୍ଗା ପୀଡ଼ିତା ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଚିକିତ୍ସା ଚାଲିଛି। ଅବସ୍ଥା ଭଲ ବୋଲି କୁହାଯାଉଚି । ୟା’ଭିତରେ ଶଙ୍ଖ ନେତାମାନେ ତାଙ୍କୁ ଦେଖି ଆସିଚନ୍ତି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ମ୍ୟାଡମ ବି ହସ୍ପିଟାଲ ଯାଇ ବୁଲି ଆସିଲେଣି । ସମସ୍ତେ ଝିଅଟିର ଆରୋଗ୍ୟ କାମନା କରୁଚନ୍ତି । କିନ୍ତୁ ଏ ଯାଏଁ ନିଆଁ ଲଗାଇଥିବା ଏବଂ ଝିଅଟିକୁ ଅପହରଣ କରିଥିବା ତିନି ଯୁବକଙ୍କ ପତ୍ତା ମିଳିନି । ପବନରେ ଉଭେଇ ଗଲେ କି ?

ପୁଲିସ ମଝିରେ ମଝିରେ କହୁଚି ଯେ, ପ୍ରମାଣ ମିଳି ଗଲାଣି। ଅକାଟ୍ୟ ପ୍ରମାଣ ମିଳିଚି । ଆଉ ଜମାରୁ ଟିକିଏ ତଦନ୍ତ ବାକି ଅଛି । ଧରି ପକେଇବୁ । ପୁଲିସ ଉପରେ କାହିଁକି କେଜାଣି ଆଉ ଭରସା ପାଇନି । କିଛି ଦିନ ଆଗରୁ ଖୁରାନିଆ ସାହବ ଯାଇଥିଲେ ବଳଙ୍ଗା । ତଦନ୍ତ କେମିତି ଚାଲିଚି ସରଜମିନ ଅନୁଧ୍ୟାନ କରିଚନ୍ତି । କହିଚନ୍ତି ସିସିଟିଭି ଫୁଟେଜ ତର୍ଜମା ହଉଚି । ଗାଁ ଗଣ୍ଡାରେ ଏମିତି ସିସିଟିଭି ଲାଗି ଗଲାଣି ଶୁଣି ଆମ ଛାତି କୁଣ୍ଢେମୋଟ । ୟା’ ଭିତରେ ଘଟଣାକୁ ୧୫ଦିନ ପାର ହେଇଗଲାଣି । ପୁଲିସ ବାବୁ ପିନାକ ମିଶ୍ର ତଦନ୍ତର ତଦାରଖ କରୁଚନ୍ତି । କିନ୍ତୁ ୧୫ଦିନ ଭିତରେ ଜଣେ ବି ବଦମାସ ପୁଲିସ ହାତରେ ନଲାଗିବା ଆମକୁ ଭାରି ସନ୍ଦେହ ଭିତରକୁ ଠେଲି ଦଉଚି।

ସୋସିଆଲ ମିଡ଼ିଆରେ ପ୍ରଚାର ହଉଚି ଯେ, ଯୁବକମାନେ ନୁହଁନ୍ତି ଜଣେ ମହିଳା ଝିଅଟି ଦେହରେ ନିଆଁ ଲଗାଇଚନ୍ତି । ଯଦି ତା’ ସତ ତେବେ ଝିଅଟି ମାଜିଷ୍ଟ୍ରେଟଙ୍କ ଆଗରେ ଖୋଲି କହିଲା ନାହିଁ କାହିଁକି ? କିଛି ଗୋଟିଏ କେଁ ଅଛି। କିନ୍ତୁ ଯେଉଁ ଯୁବକମାନେ ତାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲେ ସେମାନେ ହାଓ୍ବା ହେଇଗଲେ କେମିତି ? ଭାରି ରହସ୍ୟ ମନେହଉଚି ଘଟଣାଟି। ଯଦି ପୀଡ଼ିତା ମୁହଁ ଖୋଲିବେ ନାହିଁ, ଲୁଚେଇବେ ତେବେ ଅସଲ ପାମରମାନଙ୍କୁ ଧରିବା ନିହାତି ମୁସକିଲ୍।

କିନ୍ତୁ ପୁଲିସର ଦକ୍ଷତାକୁ ନେଇ କେବଳ ଆମେ କିଆଁ ଅନେକ ଲୋକ ସନ୍ଦେହ ପୋଷଣ କରୁଚନ୍ତି । ଯଦି ଖୁରାନିଆଙ୍କ କହିବା ଅନୁସାରେ ତାଙ୍କରି ବୁଦ୍ଧି, ଚତୁରତା ଓ ଦକ୍ଷତା ଯୋଗୁ ଏଥର ରଥଯାତ୍ରା ସୁରୁଖୁରୁରେ ହେଲା ତେବେ ତାଙ୍କର ସେହି ବୁଦ୍ଧି ଓ ଚତୁରପଣକୁ ଲଗେଇ ବଳଙ୍ଗା ବଦମାସମାନଙ୍କୁ ଧରି ପକାଉନାହାଁନ୍ତି ? ଜଣାପଡ଼ନ୍ତା ସାହବଙ୍କର ଦକ୍ଷତା ଅଛି । ଘଟଣାକୁ ଦୁଇ ସପ୍ତାହ ବିତିଯିବା କାରଣରୁ ପୁଲିସ ଏବେ ସନ୍ଦେହ ଘେରରେ । ପୀଡ଼ିତା ତ ସନ୍ଦେହ ଘେରକୁ ଆସିଥିଲେ । ଯେତେଶୀଘ୍ର ରହସ୍ୟ ଡୋରି ଫିଟିବ, ପୁଲିସ ଉପରେ ସନ୍ଦେହ ତ୍ରୁଟିବ।

Leave a Reply

Your email address will not be published. Required fields are marked *