ପଗାଁରେ ଗୋଟିଏ ଢଗ ବହୁତ ଚାଲେ । ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହଉ । ହାତ ଦଳ ଏହି ନୀତିରେ ବେଶୀ ବିଶ୍ଵାସ କରେ। ସେଥ‌ିପାଇଁ ୩୦ବର୍ଷ ପାଖାପାଖି ଦଳ ଉଧେଇପାରୁନାହିଁ । ୨୫ବର୍ଷ ହେଲା କ୍ଷମତାରେ ନାହିଁ । ୨୦୨୯ରେ କ୍ଷମତାକୁ ଫେରିବ ବୋଲି ଦଳର ନେତାମାନଙ୍କ ହାବଭାବ ଦେଖି ବୁଝାପଡି ଯାଉଚି ।

୧୧ତାରିଖ ଦିନ ରାହୁଳ ଆସିଥିଲେ ଭୁବନେଶ୍ବର । ତାଙ୍କ ସହ ଆସିଲେ ଅଧ୍ଯକ୍ଷ ଖଡଗେ । ପାଓ୍ବାରଫୁଲ ମହାସଚିବ ବେଣୁଗୋପାଳ ବି ଆସିଥିଲେ। ବରମୁଣ୍ଡା ପଡ଼ିଆରେ ଭଲ ସଭା ହେଲା। ଗ୍ରାଉଣ୍ଡ ସମର୍ଥକଙ୍କଦ୍ବାରା ଭରିଯାଇଥିଲା । ବହୁଦିନ ପରେ ହାତଦଳ ଗୋଟିଏ ଲୋକ ଦେଖିଲା ଭଳି ସଭା କଲା । ଯିଏ ଯାହାକୁ ଦେଖିଲା ପଚାରୁଥିଲା କେତେ ଲୋକ ହୋଇଥିଲେ । କିଏ ଗଣେ ଲୋକ ? କିନ୍ତୁ ଲୋକ ଭଲ ହେଇଥିଲେ। ରାହୁଳ ବାବା ବି ସଭା ଦେଖି ଭାରି ଖୁସି । ସେ କୂଆଡେ କହୁଥିଲେ ଯେ, ବଡ଼ ପଡିଆ ନେଲନି ? ମେଣ୍ଡୁଲି ଯୋଗୁ ସଭା ସଫଳ ହେଇଗଲା ବୋଲି କେହିକେହି ଚର୍ଚ୍ଚା ବି କରୁଥିଲେ ।

ରାହୁଳ ଖୁସ। ଖଡଗେ ଖୁସ। ଭକ୍ତ ତ ବହୁତ ଖୁସି । ତାଙ୍କର କାଟତି ହାଇକମାଣ୍ଡଙ୍କ ପାଖରେ ବଢିଲା। ଦଳକୁ ସମ୍ଭାଳି ନେଇ ଲଢିବେ ବୋଲି ରାହୁଳଙ୍କର ଧାରଣା ହେଲା । ରାହୁଳଙ୍କୁ ଇମ୍ପ୍ରେସ କରିବା ପାଇଁ ଭକ୍ତ ହିନ୍ଦୀରେ ଗରମାଗରମ ଭାଷଣ ଦେଲେ । କିନ୍ତୁ ଏହାକୁ ନେଇ ଏବେ ଦଳ ଭିତରେ ଗୋଟିଏ ଗୋଷ୍ଠୀ ପଡ଼ିଚନ୍ତି ଚିନ୍ତାରେ । ଯଦି ଭକ୍ତ ୨୯ ନିର୍ବାଚନ ପାର୍ କରିଦେଲେ ତ ଟିକଟ ଫିକଟ ବଣ୍ଟାରେ ଆଉ ଫନ୍ଦିଫିକର ଚଳିବନି । ଏମିତି ଅବସ୍ଥାରେ ଭକ୍ତଙ୍କ ବିରୋଧରେ ଗୋଟିଏ ଛୋଟ ମେଳି ଆରମ୍ଭ ହେଇଯାଇଚି ।

ଶଙ୍ଖ ଦଳର ଚିନ୍ତା ବି ବଢୁଚି । ହାତ ଯେତିକି ଆଗେଇବ ଶଙ୍ଖ ସେତିକି ଛିଡିବ। ଏତେଦିନ ବୁଝାମଣାରେ ଦି’ଦଳ ଚାଲିଥିଲେ । ଶଙ୍ଖ ସରକାରଙ୍କ ବିରୋଧରେ ସେଥି ଲାଗି ହାତବଳ କେବେ ବି ବଡ ଆନ୍ଦୋଳନ କରି ନଥିଲା। କେବଳ ବିଧାନସଭାରେ ଯାହାକିଛି ପାଟିତୁଣ୍ଡ ଶୁଭୁଥିଲା କଂଗ୍ରେସିଆଙ୍କ ପାଖରୁ । ଏବେ ତ ପଦ୍ମ ସରକାର । ତେଣୁ ଅଧିକ ସକ୍ରୀୟ ହାତ ଦଳ । ସେମାନଙ୍କ ସୌଭାଗ୍ୟକୁ ଶଙ୍ଖ ଦଳିଆ ଦିନୁଟାରେ ଲଣ୍ଠନ ଧରି ବୁଲୁଚନ୍ତି ।

ଭକ୍ତ ଦି’ଦଳକୁ ଟାର୍ଗେଟ କରୁଚନ୍ତି। ହେଲେ ନିଜ ଦଳର ନେତାମାନଙ୍କ ଚକ୍ରାନ୍ତ ସହଜରେ ଧରିପାରିବେ ବୋଲି ମନେହଉନି । ଅନେକ ନେତାଙ୍କର ଶଙ୍ଖ ଲିଙ୍କ ଅଛି। ଭକ୍ତଙ୍କର ବି ଥାଇପାରେ । ଏମିତିରେ ଶଙ୍ଖ ନେତାମାନେ ଚାହିଁବେ ହାତ ଦୁର୍ବଳ ହେଇରହିଲେ ପୁଣି କ୍ଷମତାକୁ ଫେରିବା ସହଜ ହବ । ଏଣେ ହାତ ଦଳର କିଛି ନେତା ଘୋଷି ହଉଛନ୍ତି ଯେ, ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହଉ ।

Leave a Reply

Your email address will not be published. Required fields are marked *