BJD Mahila samavesh in Jajpur
ରାଜ୍ୟରେ ଗତ ଏକ ବର୍ଷରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ସରକାରଙ୍କ ବିଫଳତାକୁ ନେଇ ଯାଜପୁର ଠାରେ ଏକ ବିଶାଳ ମହିଳା ଜନ ଜାଗରଣ ଅଭିଯାନରେ ଆଜି ବିଜୁ ଜନତା ଦଳ ବିଜେପି ସରକାରଙ୍କ ଉପରେ ବର୍ଷିଛି ।
 
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ନିର୍ଯାତନା ବଢ଼ି ଚାଲିଥିବା ବେଳେ, ମହିଳା ମାନେ ସୁଯୋଗ ଓ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି । ଏହି ସମାବେଶରେ ମହିଳା ମାନଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ, ସାତ ସୂତ୍ରୀ ପ୍ରସ୍ତାବ ଗୃହୀତ ହୋଇଛି ।
 
ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ଦଳର ସମସ୍ତ ଆଗଧାଡ଼ିର ମହିଳା ନେତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଗତକାଲି ଅହମ୍ମଦାବାଦ ଠାରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଆତ୍ମାର ସତଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
 
ସଭାରେ ଉପସ୍ଥିତ ବିଜେଡିର ମହିଳା ନେତ୍ରୀମାନେ, ଯଥା ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଡ଼ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ନିଜର ବକ୍ତବ୍ୟ ରଖି ସରକାରଙ୍କ ଉପରେ ବର୍ଷିଥିଲେ ।
 
ଗତ ଏକ ବର୍ଷରେ, ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧିପାଇଛି । ମହିଳାମାନେ ଦୁଷ୍କର୍ମ, ଅପହରଣ, ହତ୍ୟା, ଯୌନ ନିର୍ଯାତନାର ଶିକାର ହେଉଥିବା ଖବର ପ୍ରତିଦିନ ଖବରକାଗଜ ଓ ବୈଦୁ୍ୟତିକ ଗଣମାଧ୍ୟମରେ ଶିରୋନାମା ପାଲଟୁଛି । ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
bjd-mahila-samavesh-in-jajpur
 
ନବୀନ ସରକାରଙ୍କ ସମୟରେ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ୭୦ ଲକ୍ଷ ମହିଳା ଯେଉଁ ଅର୍ଥନୈତିକ ସ୍ୱାଧୀନତା ହାସଲ କରିଥିଲେ, ତାହା ଆଜି ସରକାରଙ୍କ ଉଦାସୀନତା ଯୋଗୁଁ ବିପଦରେ ପଡିଛି । ରାଜ୍ୟ ସରକାର ମିଶନ ଶକ୍ତିର ଏସଏଚଜି ଗୁଡିକୁ ଅଣଦେଖା କରୁଛନ୍ତି, ସ୍ୱାବଲମ୍ୱୀ ହୋଇଥିବା ମହିଳାମାନେ ଆଜି ସୁଯୋଗ ଓ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି । ସୁଭଦ୍ରା ଯୋଜନାରେ, ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦେବା ବଦଳରେ ୫ ହଜାର ଟଙ୍କା ଦେଇ ମହିଳାଙ୍କ ସହ ପ୍ରତାରଣା କରିଛନ୍ତି । ସେହିପରି, ରାଜ୍ୟରେ ଶିଶୁ ଅପହରଣ ଓ ପିଲା ବିକ୍ରି ଘଟଣା ଗତ ଏକ ବର୍ଷରେ ବୃଦ୍ଧି ପାଇଛି । ଏହାଛଡା, ଅତ୍ୟାବଶକୀୟ ଜିନିଷର ଦରଦାମ ନିୟନ୍ତ୍ରଣ, ଶ୍ରୀମନ୍ଦିରରେ ବ୍ୟବସ୍ଥିତ ଦର୍ଶନ ପ୍ରଦାନ, ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା, ବିନା କଟନୀଛଟନୀରେ ଧାନ କିଣିବାରେ ସରକାର ବିଫଳ ହୋଇଛନ୍ତି ।
 
ଏହି ଜନ ଜାଗରଣ ଅଭିଯାନରେ ସମାଜରେ ମହିଳା ମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାରକୁ ସୁରକ୍ଷିତ କରିବା ପାଇଁ ସାତ ସୂତ୍ରୀ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ସଂସଦରେ ପାରିତ ହୋଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ୍ ଅନୁଯାୟୀ, ମହିଳା ମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩% ଆସନ ସଂରକ୍ଷଣର ବ୍ୟବସ୍ଥାକୁ ୨୦୨୯ ସାଧାରଣ ନିର୍ବାଚନରେ ଲାଗୁ କରାଯାଉ ବୋଲି ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଥିଲା ।
 
ମିଶନ ଶକ୍ତି ମାଧ୍ୟମରେ ଗଠିତ ହୋଇଥିବା ରାଜ୍ୟର ୭ ଲକ୍ଷରୁ ଊଦ୍ଧ୍ୱର୍ ଏସଏଚଜି ଗୁଡ଼ିକୁ ବିଜେଡି ସରକାର ସମୟରେ ସରକାରୀ ବିଭାଗ ମାନଙ୍କ ସହ ଯେଭଳି ସହଭାଗିତାର ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା, ତାହା ପୁନଃ କାର୍ଯ୍ୟକ୍ଷମ କରାଯାଉ । ଏସଏଚଜି ଗୁଡ଼ିକୁ ବିନା ସୁଧରେ ବର୍ଷକୁ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉ । ମିଶନ ଶକ୍ତିର ବଜେଟ ପରିମାଣକୁ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଉ ।
 
ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ ଓ ପୂର୍ବରୁ ଥିବା ମହିଳା ଓ ଶିଶୁ ଡେସ୍କକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ । ମହିଳାଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉ । ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡରେ ବର୍ଷକୁ ୨୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି ଏହି ସମାବେଶରେ ପ୍ରସ୍ତାବ ଗୃହୀତ ହୋଇଛି ।
 
ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର,  ସଂତୃପ୍ତ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ସାମଲ, ଡ଼ ଅରୁଣ କୁମାର ସାହୁ, ସଞ୍ଜୟ ଦାସବର୍ମା, ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

By Nirvay

Leave a Reply

Your email address will not be published. Required fields are marked *