Odisha govt failed to provide security to women: Congress

ରାଜ୍ୟରେ ମହିଳାମାନେ ପ୍ରତି ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ବହୁମାତ୍ରାରେ ଦିନକୁ ଦିନ ବଢ଼ି ବଢ଼ିଚାଲିଛି । ଏହାର ପ୍ରତିବାଦରେ ଓ ନିରାକରଣ ପାଇଁ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଙ୍କ ଆହ୍ବାନକ୍ରମେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଓ ପ୍ରତିବାଦ ସଭା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତିଙ୍କ ପୌରହିତରେ ଆୟୋଜନ ହୋଇଥିଲା।

ରାଜ୍ୟରେ ମହିଳାମାନେ ଆଜି ସମ୍ପୂର୍ଣ୍ଣ ରୂପେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ଏବଂ ଏହି ବର୍ଗଙ୍କୁ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରୁନାହାନ୍ତି ବା କରିପାରୁନାହାନ୍ତ, ତାହାଲେ କିଭଳି ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଛନ୍ତି ଓ ଦେଖାଉଛନ୍ତି । ତାହା ଆଜି ବଡ଼ ପ୍ରଶ୍ନବାଚୀ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଏହି ପ୍ରତିବାଦ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ଏ ସରକାରଙ୍କୁ ତିଳେମାତ୍ର ସହ୍ୟ କରିବ ନାହିଁ, ଯେପର୍ଯ୍ୟନ୍ତ ମହିଳାମାନଙ୍କୁ ସଂପୂର୍ଣରୂପେ ସୁରକ୍ଷା ପ୍ରଦାନ କରାଯାଇନାହିଁ । ରାଜ୍ୟରେ ଏହି ୮ ମାସର ସରକାର ସମୟରେ ୫୪ଟି ଗଣଧର୍ଷଣ, ଧର୍ଷଣ ଓ ଧର୍ଷଣଜନିତ ମୃତ୍ୟୁ ଘଟିଛି । ରାଜ୍ୟରେ ଏଭଳି ଏକ ଜିଲ୍ଲା ନାହିଁ ଯେଉଁଠାରେ ଏଭଳି ଅମାନୁଷିକ, ବର୍ବର ଓ ପାସବିକ ଅତ୍ୟାଚର ଏ ରାଜ୍ୟର ମା’ ଭଉଣୀ ଓ ଛାତ୍ରୀମାନଙ୍କ ଉପରେ ହୋଇନାହିଁ । ମହାମହିମ ରାଷ୍ଟ୍ରପତିଙ୍କ ନିଜ ଜିଲ୍ଲାରେ ଜଣେ ଆଦିବାସୀ ଝିଅଙ୍କ ଧର୍ଷଣ କରାଗଲା, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଚମ୍ପୁଆ, ତେଲକୋଇ ଅଂଚଳରେ ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରୀଙ୍କୁ ଧର୍ଷଣ ଏବଂ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତି । ଯାଜପୁର ଜିଲ୍ଲାର କନ୍ୟାଶ୍ରମର ଛାତ୍ରୀ ଗର୍ଭବତୀ, ମାଲକାନାଗିରିର ଚିତ୍ରକୁଣ୍ଡାର ମାଟ୍ରିକ୍ ପରିକ୍ଷାତ୍ରୀ ଆଦିବାସୀ ଝିଅଟି ମାତୃତ୍ଵ ଲାଭ କରିବା, ଏହା ଆମ ରାଜ୍ୟର ସାମଗ୍ରିକ ମହିଳାମାନଙ୍କ ସୁରକ୍ଷା ଓ ସ୍ଥିତିପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହାମହିମ ରାଷ୍ଟ୍ରପତି ଏ ସମସ୍ତ ଘଟଣା ତାଙ୍କ ଜ୍ଞାତସାରରେ ଥ‌ିବ । କିନ୍ତୁ ଅନ୍ୟରାଜ୍ୟରେ ଘଟୁଥିବା ଘଟଣାକୁ ନିନ୍ଦାକରୁଥିଲାବେଳେ ନିଜ ରାଜ୍ୟରେ ଏଭଳି ସ୍ଥିତି ପ୍ରତି ସାମାନ୍ୟ କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଚିନ୍ତାର ବିଷୟ । ମହିଳାମାନଙ୍କୁ ନ୍ୟାୟ ଓ ସୁରକ୍ଷା ଦେବା, ରାଜ୍ୟ କଂଗ୍ରେସର ଏକମାତ୍ର ଦାବି ବୋଲି ସେ ରୋକ୍ ଠୋକ ଶୁଣାଇଛନ୍ତି ।

Odisha govt failed to provide security to women: Congress

ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅତିକ୍ଷୋଭ ଓ ଦୁଃଖର ସହିତ କହିଲେ ଯେ, ଗୋଟେ ପଟେ ଏକକୋଟି ସୁଭଦ୍ରାଙ୍କୁ ୫ ହଜାର ଟଙ୍କା ଦେଇ ନିଜକୁ ଭଗବାନ ବୋଲି ଭାବୁଥିବା ଡବଲ ଇଞ୍ଜିନ ସରକାର ଦୟାକରି କହିବେ କି ଆଜି ଶହ ଶହ ସୁଭଦ୍ରାଙ୍କ ପ୍ରତି ପାଶବିକ ଅତ୍ୟାଚାର, ଧର୍ଷଣ ଓ ଗଣଧର୍ଷଣ ଘଟୁଥିଲାବେଳେ ଏ ସରକାର ଚୁପ୍ କାହିଁକି, ଏହା କ’ଣ ଏକ ସରକାରର କର୍ତବ୍ୟ କି ? ବେଟି ପଢ଼ାଓ ଓ ବେଟି ବଚାଓର ନାରା ଆଜି କେବଳ ନାରାରେ ରହିଯାଇଛି। ଏ ରାଜ୍ୟର ମହିଳା ଆଜି ସଂପୂର୍ଣ ଅସୁରକ୍ଷିତ। ରାଜ୍ୟ ଆଜି ଏକ ଅପରାଧ ପ୍ରବଣ ରାଜ୍ୟ ବୋଲି ମାନ୍ୟତା ପାଇସାରିଲାଣି । ଏହା ଆମ ଡବଲ ଇଞ୍ଜିନ ସରକାର ସବୁଠାରୁ ବଡ଼ ଉପଲବ୍ଧ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଥିଲେ ଯେ ଆଇନର ତରାଜୁ ଜଣେ ମହିଳାଙ୍କ ହାତରେ । କିନ୍ତୁ ଏ ଡବଲ ଇଞ୍ଜିନର ସରକାର ଏ ପ୍ରତି ଧ୍ୟାନ ଦେଉନାହାନ୍ତି । ରାଜ୍ୟର ମହିଳା ଯେତେ ସୁରକ୍ଷିତ ହେବେ ରାଜ୍ୟ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସେତେ ମଜଭୂତ ହେବ। ରାଜ୍ୟରେ ଆଦିବାସୀ ସ୍କୁଲ ଛାତ୍ରମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଓ ଗଣଦୁଷ୍କମ ସାରା ଦେଶରେ ରାଜ୍ୟକୁ ବଦନାମ କରିଛି । କିନ୍ତୁ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ଦଳର କୌଣସି ନେତା ମୁହଁ ଖୋଲୁନାହାନ୍ତି। ପୂର୍ବତନମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କଟୁସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ସଂଗୀନ ଅପରାଧ ଓ ଅତ୍ୟାଚାର ଆଜି ବିଜେପି ଦଳର ମନୁବାଦି ଚିନ୍ତାଧାରାର ମୁଖ୍ୟକାରଣ ବୋଲି କହିଥିଲେ । ବିଜେପି ଦଳ ମନୁବାଦି ଚିନ୍ତାଧାରାରେ ଓ ଆଦର୍ଶରେ ଅନୁପ୍ରାଣିତ । ତେଣୁ ମନୁବାଦିମାନେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରନ୍ତି ନାହିଁ। ମହିଳା ମଧୁସ୍ମିତା ଆଚାର୍ଯ୍ୟ, ପ୍ରଭାବତି ପଟ୍ଟନାୟକ, ନିରୁପମା ପାତ୍ର, ଶ୍ରୀୟା ମହାନ୍ତି ଓ ବହୁ ମହିଳା କଂଗ୍ରେସ ନେତ୍ରୀମାନେ ଆଜି ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ମହିଳାମାନଙ୍କ ପ୍ରତି ହେଉଥ‌ିବା ଅତ୍ୟାଚାର ଓ ଅପରାଧକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ସରକାର ତୁରନ୍ତ ଏହାର ନିରାକରଣ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ସେହିଭଳି ଭାବରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ଓ ଦେବାଶିଷ ପଟ୍ଟନାୟକ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟଚାର ବିରୁଦ୍ଧରେ ବିଷୋଦ୍‌ଗାର କରିଥିଲେ।

ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ଵଜିତ ଦାସ ତାଙ୍କ ନିଜ ବକ୍ତବ୍ୟରେ କହିଥିଲେ ଯେ ଯେପର୍ଯ୍ୟନ୍ତ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କରାଯାଇପାରିବ ନାହିଁ, ସେ ପର୍ଯ୍ୟନ୍ତ ରାଜ୍ୟ କେବେହେଲେ ଏକ ବିକଶିତ ରାଜ୍ୟ ହୋଇପାରିବ ନାହିଁ ବୋଲି କହିଥିଲେ । ବିଶେଷ କରି ଆଦିବାସୀ ଓ ଅନୁସୂଚିତ ଜାତି ଓ ଜନଜାତିର ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମକୁ କେବେ ବରଦାସ୍ତ ରାଜ୍ୟ କରିବ ନାହିଁ । ରାଜ୍ୟରେ ଏ ୮ ମାସ ଭିତରେ ମହିଳାଙ୍କ ପ୍ରତି ହେଉଥିବା ୧୬ ଶହ ସଂଗୀନ ଅପରାଧ ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଛି । ଏ ସରକାର ବିରୁଦ୍ଧରେ ଏ ଲଢ଼େଇ ଆରମ୍ଭ ମାତ୍ର ।

By Nirvay

Leave a Reply

Your email address will not be published. Required fields are marked *