ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନାଇଟେଡ ନ୍ୟାସନାଲ ପପୁଲେସନ ଫଣ୍ଡ (ୟୁଏନେଫପିଏ)ର ସହଭାଗିତାରେ ଆଜି ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ସହ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଅଭିଯାନ ୩୦ ଜିଲ୍ଲାଟିକୁ ବ୍ୟାପି ଥିବାବେଳେ ଆଜି ଉଦଯାପନୀ ଉତ୍ସବରେ ଭୁବନେଶ୍ୱରସ୍ଥିତ ଶ୍ରୀୟା ଛକ ଠାରୁ ମାଷ୍ଟର କାଣ୍ଟିନ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ମହିଳାମାନଙ୍କ ଦ୍ୱାରା ଏକ ମାନବଶୃଙ୍ଖଳ ସହ ପଦଯାତ୍ରା ଦ୍ୱାରା ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦଯାତ୍ରା ସହ ବିଭିନ୍ନ ପ୍ରକାର ପଥପ୍ରାନ୍ତ ନାଟକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ମଧ୍ୟ ଯୋଗ ଦେଇଥିଲେ । ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମହିଳାମାନଙ୍କୁ ଉତ୍ସାହିତ କରି କହିଛନ୍ତି ଯେ ଏକ ସଭ୍ୟ ସମାଜରେ ଲିଙ୍ଗଗତ ହିଂସାର କୌଣସି ସ୍ଥାନ ନାହିଁ । ସବୁପ୍ରକାର ବୃତ୍ତିରେ ମହିଳାମାନେ ନିଜ ଦକ୍ଷତା ପ୍ରମାଣ କରିପାରିଛନ୍ତି ଓ ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ଦୃଢ ମତ ରଖିଛନ୍ତି । ଆଜି ରାଜ୍ୟର ୮୦ ଲକ୍ଷ ମହିଳା ସୁଭଦ୍ରା ସହ ଯୋଡି ହେଇଛନ୍ତି, ୭୦ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡି ହେଇଛନ୍ତି । ବିକଶିତ ଓଡ଼ିଶାରେ ଲିଙ୍ଗଗତ ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସ୍ୱୀକାରୋକ୍ତି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିମାନଙ୍କ ସମେତ ସେଠାରେ ଉପସ୍ଥିତ ଜନସାଧାରଣ ମଧ୍ୟ ଲିଙ୍ଗଗତ ହିଂସା ବିରୋଧରେ ଶପଥ ଗ୍ରହଣ କରିଥିଲେ । ଏହି ପଦଯାତ୍ରା କାର୍ଯ୍ୟକ୍ରମ ପରେ ଶ୍ରୀୟା ଛକ ଠାରେ ଥିବା ହୋଟେଲ ହିନ୍ଦୁସ୍ଥାନରେ ବ୍ଲକ ଚେନ ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ ଶକ୍ତି ଆପ୍ଲିକେସନ ମାନ୍ୟବର ଉପମୁଖମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଆପ୍ ଲିଙ୍ଗଗତ ହିଂସା ଦ୍ୱାରା ଶିକାର ହୋଇଥିବା ମହିଳାମାନଙ୍କ ସମ୍ମାନକୁ ସୁରକ୍ଷା ଦେବା ସହ ସମାଜରେ ମହିଳାମାନଙ୍କୁ ଉଚିତ ସମ୍ମାନ ଯୋଗାଇଦେବ । ପରୀକ୍ଷାମୂଳକ ଭାବେ ଏହି ଆପ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଥିଲା । ଏବେ ଏହାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ହିଂସାର ଶିକାର ହୋଇଥିବା ମହିଳାମାନଙ୍କର ଗୋପନୀୟତା ରକ୍ଷା କରିବା ସହ ଏହି ଆପ ଘଟଣାର ସବିଶେଷ ବିବରଣୀକୁ ସବୁଦିନ ପାଇଁ ସରଂକ୍ଷିତ କରି ରଖିଥାଏ, ଯାହା ଦ୍ୱାରା ମହିଳାମାନଙ୍କୁ ବାର ବାର ସେଇ ଘଟଣାକୁ କହିବାକୁ ପଡିବ ନାହିଁ । ଏହିପରି ଭାବେ ଏହି ଆପରେ ଅନେକ ସୁବିଧା ଯୋଗାଇ ଦିଆଯାଇଛି, ଯାହା ଦ୍ୱାରା ଆମେ ରାଜ୍ୟରେ ଘଟୁଥିବା ଲିଙ୍ଗଗତ ହିଂସାକୁ ନିରୀକ୍ଷଣ କରିପାରିବା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ଓ ୟୁଏନେଫପିଏ ରାଜ୍ୟ ମୁଖ୍ୟ ମହମ୍ମଦ ନଦିମ୍ ନୁର ଉପସ୍ଥିତ ଥିଲେ । ଏହା ସହ ବିଭିନ୍ନ ଜିଲ୍ଲାରେ ମହିଳା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନର ଅଧିକାରୀବୃନ୍ଦ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ ଓ ୟୁନାଇଟେଡ଼ ନ୍ୟାସନାଲ ପପୁଲେସନ ଫଣ୍ଡ (ୟୁଏନେଫପିଏ)ର ଅଧିକାରୀମାନେ ଉପସ୍ଥିତ ଥିଲେ । Post navigation ପାରାଦୀପ ପୋର୍ଟରେ ୭୮ ବାଂଲାଦେଶୀ ଅଟକ ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଗଠନ ହେବ ଟାସ୍କ ଫୋର୍ସ