ଓଡ଼ିଶାରେ ଖାଲି ପଡ଼ି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ଡିସେମ୍ବର ୨୦ରେ । ଏଥିସହିତ ୪ଟି ରାଜ୍ୟର ୬ଟି ଆସନ ପାଇଁ ମଧ୍ଯ ହେବ ଉପନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ସହ ବିଜୁ ଜନତା ଦଳ ପାଇଁ ପୁଣି ଏକ ବିପଦ ଘଣ୍ଟି ବାଜିବା ଆରମ୍ଭ ହେଲା।

ମଙ୍ଗଳବାର ଜାରି ସୂଚନା ଅନୁସାରେ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ୧୦ ସୁଦ୍ଧା ମନୋନୟନପତ୍ର ଦାଖଲ । ୧୧ରେ ଯାଞ୍ଚ ଏବଂ ୧୩ରେ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ।

ଏବେ ରାଜ୍ୟସଭାରେ ୯ ଜଣ ସଦସ୍ୟ ଅଛନ୍ତି। ସେଥିମଧ୍ଯରୁ ୭ ଜଣ ବିଜଦ ଓ ୨ ଜଣ ଭାଜପାର । ଉପନିର୍ବାଚନ ପରେ ସଂଖ୍ୟା ୭-୩ ହୋଇଯିବ। କିନ୍ତୁ ଏହା ସହିତ ପଣି ଏକ ବିପଦ ଘଣ୍ଟି ବାଜିବ ବିଜଦ ସକାଶେ । ମିଳିଥିବା ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ଉପନିର୍ବାଚନ ସରିବା ପରେପରେ ରାଜ୍ୟସଭାରୁ ଆଉ ଜଣେ ବିଜଦ ସଦସ୍ୟ ଦଳ ଛାଡ଼ିବେ। ବଡ଼ ଅନିଶ୍ଚିତତା ଭିତର ଦେଇ ଗତି କରୁଛି ବିଜଦ । ଲୋକସଭାରେ ଏହାର କୌଣସି ସଦସ୍ୟ ନାହାନ୍ତି । ରାଜ୍ୟସଭାରେ ଛିଡ଼ି ଛିଡ଼ି ଯାଉଛି ବିଜଦ । ତେଣୁ ନିର୍ବାଚନ କମିଶନ‌ଙ୍କ ଘୋଷଣା ସହ ବିଜଦ ପାଇଁ ମଧ୍ଯ ବିପଦ ଘଣ୍ଟି ବାଜିବା ଆରମ୍ଭ ହୋଇଛି କହିଲେ ଭୁଲ୍ ହେବନାହିଁ ।

ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗତ ସେପ୍ଟେମ୍ବର ମାସରେ ଇସ୍ତଫା ଦେବା ସହ ଦଳରୁ ମଧ୍ଯ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇସାରିଛନ୍ତି। ତାଙ୍କ ଇସ୍ତଫା କାରଣରୁ ଉପନିର୍ବାଚନର ଆବଶ୍ୟକତା ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭାଜପା ତାଙ୍କୁ ହିଁ ପୁନଃ ମନୋନୀତ କରିବ ଖାଲି ପଡ଼ିଥିବା ଆସନ ପାଇଁ। ଏହା ପୂର୍ବରୁ ଜୁଲାଇ ୩୧ରେ ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ବିଜଦ ଛାଡ଼ିବା ପରେ ତାଙ୍କୁ ଭାଜପା ଖାଲିପଡ଼ିଥିବା ଆସନ ଲାଗି ପୁନଃ ମନୋନୀତ କରିଥିଲା। ଉପନିର୍ବାଚନରେ ସେ ଭାଜପା ପ୍ରାର୍ଥୀ ଭାବେ ନିର୍ଦ୍ଧନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏବେ ସୁଜିତଙ୍କ ପାଳି। ସଂଖ୍ୟା ଗଣିତ ଦୃଷ୍ଟିରୁ ଯଦି ସୁଜିତ ଭାଜପା ପ୍ରାର୍ଥୀ ହୁଅନ୍ତି, ତେବେ ସେ ମମତାଙ୍କ ପରି ନିର୍ଦ୍ଧନ୍ଦ୍ବରେ ନିର୍ବାଚିତ ହେବେ। ସୁଜିତଙ୍କ କାର୍ଯ୍ୟକାଳ ସରୁଥିଲା ୨୦୨୬ ଏପ୍ରିଲ ମାସରେ। ତେଣୁ ଅବଶିଷ୍ଟ ସମୟ ପାଇଁ ତାଙ୍କୁ ଭାଜପା ପ୍ରାର୍ଥୀ କରିବାରେ ଅସୁବିଧା ନାହିଁ ।

Leave a Reply

Your email address will not be published. Required fields are marked *