ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ୨୫ରେ କଂଗ୍ରେସ ଏବଂ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ କଂଗ୍ରେସ ଏବଂ ବିଜେଡି ଅନାହାର ମୃତ୍ୟୁ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ନିଯୁକ୍ତି ଏବଂ ଶିଶୁ ବିକ୍ରି ପ୍ରସଙ୍ଗ ଗୃହରେ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି। ଆଗାମୀ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ। ମୁଖ୍ୟତଃ କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇ ୩ଜଣ ଆଦିବାସୀଙ୍କ ମୃତ୍ୟୁ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଖଣିଜ ସମ୍ପଦକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ଭଳି ପ୍ରସଙ୍ଗ ଉତ୍ଥାପନ କରି ସରକାରଙ୍କୁ ଘେରିବାକୁ ରଣକୌଶଳ ତିଆରି କରୁଛି। କଂଗ୍ରେସ ବିଧାୟକ ଦଳ ନେତା କଡ଼ାମ କହିଛନ୍ତି, ରାଜ୍ୟରେ ଏବେ ବି ଅନାହାର ମୃତ୍ୟୁ ଦେଖିବାକୁ ମିଳୁଛି। ଆଦିବାସୀମାନେ ସ୍ବାଭିମାନୀ। ଘରେ କିଛି ଖାଇବା ନଥିଲେ ପଡ଼ୋଶୀଙ୍କୁ ମାଗନ୍ତି ନାହିଁ। ରାଜ୍ୟ ସରକାର କେୱାଇସି ଅପଡେଟ୍ ନାଁରେ ରେସନ ଚାଉଳ ବଣ୍ଟନ କରିବାରେ ୨ରୁ ୩ମାସ ବିଳମ୍ବ କରିବା ଯୋଗୁଁ ବାଧ୍ୟ ହୋଇ ଆଦିବାସୀ ଆମ୍ବ ଟାକୁଆ ଜାଉ ଖାଇଥିଲେ। ବ୍ରହ୍ମପୁର ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏହା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। କଂଗ୍ରେସ ଏହାକୁ ବିଧାନସଭାରେ ଉଠାଇବ ଏବଂ ସରକାରଙ୍କୁ ଜବାବ ମାଗିବ। ସେହିଭଳି ଭାବେ ରାଜ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପଦକୁ କିଛି ମୁଷ୍ଟିମେୟ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ସରକାର ଚକ୍ରାନ୍ତ କରୁଥିବାରୁ କଂଗ୍ରେସ ଏହାକୁ ଗୃହରେ ଉଠାଇବ। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଶୁକ୍ଳ ହ୍ରାସ ନକରିବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦାମ ୧୦୦ଟଙ୍କା ଉପରେ ରହିଛି। ଏହାର ପ୍ରଭାବ ପରିବହନ ବ୍ୟବସ୍ଥା ଉପରେ ପଡୁଥିବାରୁ ବଜାରରେ ସାମଗ୍ରୀ ଦରଦାମ ବଢ଼ି ଚାଲିଛି। ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଏହା ବାଧୁଛି। ବିଜେପି ନିର୍ବାଚନ ପ୍ରଚାର ସମୟରେ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି, ସରକାର ଗଠନର ୫ମାସ ଭିତରେ କିଛି ପ୍ରତିଶ୍ରୁତି ପୂରଣ କରିପାରିଲା ନାହିଁ। ଏହାକୁ ବିଧାନସଭାରେ ପ୍ରସଙ୍ଗ କରିବାକୁ କଂଗ୍ରେସ ବିଧାୟକ ରଣନୀତି ପ୍ରସ୍ତୁତ କରୁଛନ୍ତି। Post navigation ବେଆଇନ ବୈଦେଶିକ ମୁଦ୍ରା କାରବାର ଅଭିଯୋଗରେ ଇଡି ଦ୍ୱାରା ଜେଡ ଇଷ୍ଟେଟରେ ଚଢ଼ାଉ : ୧.୩୯ କୋଟି ଜବତ ମା’ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ