ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାକୁ ଗୁରୁତ୍ବର ସହିତ ନେଉଛନ୍ତି ରାଜ୍ୟ ସରକାର । ଏହି ଘଟଣାରେ ସଂପୃକ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ବିଧାୟକଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ଏହି ୧୦ ଜଣ ଗିରଫ କରାଯାଇଛି । ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ ହୋଇଛନ୍ତି ୧୦ ଅଭିଯୁକ୍ତ । ଯାଜପୁର ଏସଡିଜେଏମ କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରିବା ପରେ ଜେଲ ଯାଇଛନ୍ତି ସମସ୍ତ ଅଭିଯୁକ୍ତ । ଅନ୍ୟପଟେ ଆକ୍ରମଣ ଘଟଣାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ସେ କହିଛନ୍ତି ଆକ୍ରମଣ ଘଟଣାରେ ପୁଲିସ ପ୍ରଶାସନ ସଜାଗ ରହିଛି । ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏ ଘଟଣାକୁ ଗୁରୁତର ସହିତ ନେଇଥିବା ସେ କହିଛନ୍ତି । ଖୁବଶୀଘ୍ର ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମ୍ପୃକ୍ତ ସମସ୍ତ ଆସାମୀଙ୍କୁ ଗିରଫ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଯୋଗ୍ୟ; ଗତକାଲି ସନ୍ଧ୍ୟାରେ ବିଧାୟକ ହିମାଂଶୁ ଶେଖର ସାହୁ କୌଣସି ଏକ କାମରେ ଡିଡିଏମ ଅଫିସ ଯାଉଥିବା ବେଳେ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା । ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ବିଧାୟକଙ୍କୁ ମାଡ଼ ମାରିଥିଲେ । ଏମିତିକି ତାଙ୍କ ସୁନା ଚେନ୍ ମଧ୍ୟ ଛଡ଼ାଇ ନେଇଯାଇଥିଲେ । ଆକ୍ରମଣକାରୀ ବବି ଦାସଙ୍କ ନାଁ ନେଇ ତାଙ୍କ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଥିଲେ । ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଘଟଣା ସ୍ଥଳରେ ପହଁଚି ସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିଥିଲା । Post navigation ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରୀପାତ୍ର ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେଡି