ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡ ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁରଲୀଧରଙ୍କ ଅତ୍ୟନ୍ତ ଗରିବ। ମୁମ୍ବାଇରୁ ମୃତଦେହ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନ ଥିଲା। ମର ଶରୀରକୁ ତାଙ୍କ ଗ୍ରାମକୁ ଆଣି କ୍ରିୟା କର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଅସହାୟ ପରିବାରକୁ ତୁରନ୍ତ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ମୁରଲୀଧରଙ୍କ ମର ଶରୀର ତାଙ୍କ ଗ୍ରାମରେ ପହଞ୍ଚିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୁରଲୀଧରଙ୍କ ପତ୍ନୀ ଓ ଯୁକ୍ତ ଦୁଇ ପଢୁଥିବା ଏକମାତ୍ର ଝିଅ ବର୍ଷାରାଣୀଙ୍କ ସହିତ ଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମୁରଲୀଙ୍କ ପତ୍ନୀ ଓ ଝିଅଙ୍କୁ କହିଥିଲେ ଯେ, ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ରଖନ୍ତୁ। ମୁଁ ଆପଣଙ୍କ ସହିତ ଅଛି। ଝିଅକୁ କହିଥିଲେ ତୁମେ ଭଲ ପାଠ ପଢୁଛ। ତୁମେ କିପରି ପାଠପଢା ଜାରି ରଖିବ ସେଥିପାଇଁ ମୋର ସହଯୋଗ ରହିବ। ତୁମେ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠିତ ହୁଅ, ସେଥିପାଇଁ ମୋର ଆଶୀର୍ବାଦ ଅଛି। ମୁଖ୍ୟମନ୍ତ୍ରୀ ପରଲୋକଗତ ମୁରଲିଧରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। କାର୍ଯ୍ୟବ୍ୟସ୍ତତା ଭିତରେ ଜଣେ ସମ୍ବେଦନଶୀଳ ମଣିଷ ଭାବେ ମୁଖ୍ୟମନ୍ତ୍ରୀ ଯେଭଳି ଜଣେ ସାଧାରଣ ଲୋକର ଭାବାବେଗକୁ ଗୁରୁତ୍ବ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ସେଥିପାଇଁ ମୁରଲୀଧରଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି। Post navigation କଂଗ୍ରେସ ଭବନ ଆଗରେ ପାଟିତୁଣ୍ଡ କରିଛନ୍ତି ବହିଷ୍କୃତ ନେତ୍ରୀ ନବୀନ ନିବାସରେ ରାଜନୀତି ଦୋକାନ ଖୋଲିସାରିଲେଣି ପାଣ୍ଡିଆନ!