ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ତଥା ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ମନୀଷା ମିଶ୍ର ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କର ଦୁଇଟି ଘରେ ଭିଜିଲାନ୍ସ ଚଢ଼ଉ କରିଛି । ସୂଚନା ଅନୁସାରେ, ଜଣେ ବ୍ୟକ୍ତି ୦.୧୪ ଡିସିମିଲ୍ ପରିମିତ ବାଜ୍ୟାପ୍ତି ସ୍ଥିତିବାନ କିସମ ଜମିର ବିକ୍ରୟ କବଲା ପଞ୍ଜୀକରଣ ପାଇଁ ମନୀଷା ମିଶ୍ରଙ୍କୁ ଅନୁରୋଧ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରି ପଞ୍ଜୀକରଣ କରାଯାଇପାରିବ । ତେବେ ଅଭିଯୋଗ ଅନୁସାରେ, ଏହି କାମ ପାଇଁ ମନୀଷା ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସମ୍ପୃକ୍ତ ବ୍ୟକ୍ତି ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ସେ ଲାଞ୍ଚ ରାଶିକୁ ୭ ହଜାର ଟଙ୍କାକୁ କମାଇ ଦେଇଥିଲେ । ଏହାପରେ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସର ପୂର୍ବ ଯୋଜନା ଅନୁଯାୟୀ, ସେ ୭ ହଜାର ଟଙ୍କା ଦେବାବେଳେ ମନୀଷାଙ୍କୁ ଧରିଥିଲା । ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି । ଏବେ ମନୀଷା ମିଶ୍ରଙ୍କ ବିରୋଧରେ ତଦନ୍ତ ଜାରି ରହିଛି । ତେବେ ୨୦୨୪ରେ ଓଆରଏସ ଅଧିକାରୀ ଭାବେ ମନୀଷା ମିଶ୍ର ଯୋଗଦେଇଥିବା ବେଳେ ପ୍ରୋବେସନ ପିରିୟଡରେ ବାଲିଆପାଳ ସବ୍ରେଜିଷ୍ଟ୍ରାର୍ ଭାବେ ନିଯୁକ୍ତି ପାଇଥିଲେ । Post navigation Andhra Records 10% Voting in Kotia: କୋଟିଆରେ ଆନ୍ଧ୍ରର ମତଦାନ ହାର ୧୦%: ଜିଲ୍ଲାପାଳ