ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପୁଡୁଚେରୀ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ସେ ବାତ୍ୟାଜନିତ କ୍ଷୟକ୍ଷତି ଏବଂ ସ୍ଥିତିର ସମୀକ୍ଷା କରିଥିବା ଜଣାପଡ଼ିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇ ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି ଯେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକମାନଙ୍କ ଦୁର୍ଦ୍ଦଶାକୁ ହ୍ରାସ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଅର୍ଥାତ୍ ଏନ୍‌ଡିଆର୍‌ଏଫ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି ଅର୍ଥାତ୍ ଏସ୍‌ଡିଆର୍‌ଏଫ୍ ର ଟିମ୍‌ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଏହି ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତପ୍ରକାର ସହଯୋଗ ଯାଇଦେବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ (IMCT) ପଠାଯିବ ବୋଲି ସେ କହିଛନ୍ତି।

ଏଥି ସହିତ ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଶୀଘ୍ର ଏକ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳକୁ ପ୍ରଭାବିତ ଅଞ୍ଚଳକୁ ପଠାଯିବ ବୋଲି ସେ ଜଣାଇଛନ୍ତି। ଏହି ବିପଦ ସମୟରେ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ ପ୍ରଭାବିତ ଲୋକମାନଙ୍କ ପାଖରେ ଠିଆ ହୋଇଛନ୍ତି ବୋଲି ଅମିତ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏହି ସହଯୋଗ ଓ ପ୍ରତିଶ୍ରୁତି ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ସହଯୋଗ ଓ ସମର୍ଥନ ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଆହୁରି ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *