ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଜନସ୍ୱାର୍ଥ ଏବଂ ତତ୍ପରତାକୁ ପ୍ରାଥମିକତା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀ ମଧୁସୂଦନ ଦାସଙ୍କୁ ତତକ୍ଷଣାତ୍ ନୁଆପଡ଼ା ଜିଲ୍ଲାକୁ ଦାୟିତ୍ୱରେ ପଠାଯାଇଛି। ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ମଧୁସୂଦନ ଦାସ ନୁଆପଡ଼ା ଜିଲ୍ଲା ପ୍ରଶାସନ ସହିତ ମିଶି କାମ କରିବେ ଏବଂ ସେଠାରେ ସାମଗ୍ରିକ ରିଲିଫ୍ ତଥା ପୁନରୁଦ୍ଧାର କାର୍ଯ୍ୟଗୁଡ଼ିକୁ ସହାୟତା, ପରିଦର୍ଶନ, ନିରୀକ୍ଷଣ ଏବଂ ସମନ୍ୱୟ ରକ୍ଷା କରିବାର ମୁଖ୍ୟ ଦାୟିତ୍ୱ ତୁଷାଇବେ। ରିଲିଫ୍ ପରିଚାଳନା ବ୍ୟବସ୍ଥାକୁ ଅଧିକ ଦ୍ରୁତ ଓ ପ୍ରଭାବଶାଳୀ କରିବା ପାଇଁ ସେ ସ୍ଥାନୀୟ ପ୍ରଶାସନକୁ ସମ୍ପୂର୍ଣ୍ଣ ମାର୍ଗଦର୍ଶନ ଦେବେ ବୋଲି ଜଣାପଡ଼ିଛି। ଏହି ନିର୍ଦ୍ଦେଶ ତତକ୍ଷଣାତ୍ କାର୍ଯ୍ୟକାରୀ ହୋଇଥିବାବେଳେ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ନିଜ ନିଯୁକ୍ତି ସ୍ଥାନରେ ଯୋଗଦେଇ ରିପୋର୍ଟ କରିବାକୁ କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ଅସ୍ଥାୟୀ ନିଯୁକ୍ତି ଜାରି ରହିବ ବୋଲି ରାଜ୍ୟପାଳଙ୍କ ଆଦେଶକ୍ରମେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରକାଶ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ର ଆକଳନ ଅନୁଯାୟୀ ବାତ୍ୟା ‘ଅର୍ଣ୍ଣବ’ ଅଧିକ ଘନଭୂତ ହୋଇ ଅକ୍ଟୋବର ୨୮ ସକାଳେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଯଦିଓ ଏହାର ସିଧାସଳଖ ପ୍ରଭାବ ଆନ୍ଧ୍ର ଉପକୂଳରେ ରହିବ, ତଥାପି ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ନୂଆପଡ଼ା ଜିଲ୍ଲା ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଅକ୍ଟୋବର ଆରମ୍ଭ ପର୍ଯ୍ୟନ୍ତ ମଧୁସୂଦନ ଦାସ ନୂଆପଡ଼ାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବାରୁ, ଜିଲ୍ଲାର ଭୂଗୋଳ ଓ ପ୍ରଶାସନିକ ସ୍ଥିତି ସମ୍ପର୍କରେ ତାଙ୍କର ଥିବା ଅଭିଜ୍ଞତା ଏହି ବିପର୍ଯ୍ୟୟ ମୁକାବିଲାରେ ସହାୟକ ହେବ ବୋଲି ଆଶା କରାଯାଉଛି। ବାତ୍ୟା ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସେ ସେଠାରେ ରହି ଜିଲ୍ଲା ପ୍ରଶାସନ ସହ ମିଶି କାର୍ଯ୍ୟ କରିବେ। Post navigation दिल्ली में केंद्रीय सचिवालय के नॉर्थ ब्लॉक से निकला घना धुआं, मौके पर पहुंचीं दमकल की गाड़ि 2.12 लाख करोड़ के रक्षा प्रस्तावों को सरकार की मंजूरी; 82% खरीद स्वदेशी