ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାତ୍ୟା ସ୍ଥିତି ଓ ମୁକାବିଲା ନେଇ ସରକାରୀ ସ୍ତରରେ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ସମୟରେ ଧନଜୀବନର ସୁରକ୍ଷା ସହ ‘ଜିରୋ କାଜୁଆଲିଟି’ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ବାତ୍ୟା ଦ୍ୱାରା ଯେପରି କୌଣସି ଜୀବନହାନି ନହୁଏ, ସେଥିପାଇଁ ସମସ୍ତ ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ ଏବଂ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ୨୮ ଓ ୨୯ ତାରିଖରେ ପ୍ରଭାବିତ ଜିଲ୍ଲାଗୁଡ଼ିକ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି। ସ୍ଥିତିକୁ ଆକଳନ କରି ସ୍ଥାନୀୟ ସ୍ତରରେ ଜରୁରୀ ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପୂର୍ଣ୍ଣ କ୍ଷମତା ଓ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟରେ ପ୍ରାୟ ୩୦ଟି ଓଡ୍ରାଫ୍ ଟିମ୍, ୨୭ଟି ଏନଡିଆରଏଫ୍ ଟିମ୍ ଏବଂ ୨୨୫ଟି ଅଗ୍ନିଶମ ଟିମକୁ ସଜାଗ ରଖାଯାଇଛି। ଆକଳନ ଅନୁଯାୟୀ, ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବ ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପଡ଼ିପାରେ, ଯାହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ବାତ୍ୟା ଆସିବା ପୂର୍ବରୁ ଲୋକଙ୍କୁ ନିରାପଦ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏଥି ସହିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ବିଭିନ୍ନ ବିଭାଗର ସଚିବମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି। ଆତଙ୍କିତ ନହୋଇ ସରକାରୀ ସତର୍କତା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। Post navigation Kendrapada Gears Up for Impending Cyclone: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରାପଡ଼ା ପ୍ରଶାସନର ବ୍ୟାପକ ପ୍ରସ୍ତୁତି: ପୂଜା ତୋରଣ ଖୋଲିବାକୁ ନିର୍ଦ୍ଦେଶ Police ASI’s Body Found On Railway Track: କଟକ କାଠଯୋଡ଼ି ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର