ଏକ ଘୂର୍ଣ୍ଣିବଳୟର ପ୍ରଭାବ କାରଣରୁ ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗିରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ଶୁକ୍ରବାର ସକାଳ ସାଢ଼େ ପାଞ୍ଚଟାର ଆକଳନ ଅନୁଯାୟୀ, ଏହି ସିଷ୍ଟମ୍ ସମାନ ଅଞ୍ଚଳରେ ରହିବା ସହ ଆସନ୍ତା ଅକ୍ଟୋବର ୨୪ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେବ ଏବଂ ଅକ୍ଟୋବର ୨୬ ତାରିଖ ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ତୀବ୍ର ପବନ ବହିବାର ପୂର୍ବାନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ଏବଂ ସମୁଦ୍ରରେ ଥିବା ଡଙ୍ଗାଗୁଡ଼ିକୁ ତୁରନ୍ତ କୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ଅଞ୍ଚଳର ସାଧାରଣ ଜନତାଙ୍କୁ ବିଶେଷ ସତର୍କ ରହିବା ସହ ପାଣିପାଗ ବିଭାଗର ଆଗାମୀ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି। Post navigation Balianta Brutal Murder: ବାଲିଅନ୍ତାରେ ପୁଣି ହିଂସା; ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା