ଓଡ଼ିଶା କ୍ରୀଡ଼ା ଜଗତରେ ଏହା ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ରାଜ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ଜଣ ଉଦୀୟମାନ ଯୁବ ଆଥଲେଟ୍‌ଙ୍କର ପ୍ରାଣହାନି ଘଟିଛି। କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ନିକଟରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ପ୍ରତିଭାଶାଳୀ ଆଥଲେଟ୍ ଜୟରାମ ଦଣ୍ଡପାଟ ଓ ମଲୟ ବାରିକଙ୍କ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦:୩୦ ମିନିଟ୍ ସମୟରେ ନଖରା ସ୍ଥିତ ଟୋୟୋଟା ଶୋ’ରୁମ୍ ସମ୍ମୁଖରେ ଏକ ଦୁର୍ଘଟଣାରେ ଉଭୟ ଜୟରାମ ଦଣ୍ଡପାଟ ଓ ମଲୟ ବାରିକ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଉଭୟ ଆଥଲେଟ୍‌ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ହାଇ ପାରଫରମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ସେମାନଙ୍କର ଏହି ଆକସ୍ମିକ ବିୟୋଗ କ୍ରୀଡ଼ା ଜଗତରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

ଅନ୍ୟପଟେ ଏହି ଦୁଃଖଦ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, “ଯୁବ ଆଥଲେଟ୍‌ ମୃତ୍ୟୁଞ୍ଜୟ ଜୟରାମ ଦଣ୍ଡପାଟ ଓ ମଲୟ ବାରିକଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ। ସେମାନଙ୍କର ବିୟୋଗ ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।”

ସୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଅମର ଆତ୍ମାର ସଦଗତି ସହ ପରିବାରକୁ ଏହି କଠିନ ସମୟରେ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜୟରାମ ଦଣ୍ଡପାଟଙ୍କ ଜନ୍ମ ୨୦୦୫ ଜାନୁଆରୀ ୧୨ ତାରିଖରେ ହୋଇଥିଲା। ସେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହ ଜଡ଼ିତ ଥିବାବେଳେ ମୂଳତଃ ଆନ୍ଧ୍ରପ୍ରଦେଶର କାକିନାଡ଼ାର ବାସିନ୍ଦା ଥିଲେ ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ହାଇ ପରଫୋର୍ମାନ୍ସ ସେଣ୍ଟରରେ ତାଲିମ ନେଉଥିଲେ। ୧୦୦ ମିଟର ଓ ୨୦୦ ମିଟର ଇଭେଣ୍ଟର ସ୍ପେଶାଲିଷ୍ଟ ଜୟରାମ ତେଲେଙ୍ଗାନାର ହାନାମକୋଣ୍ଡାଠାରେ ଅନୁଷ୍ଠିତ ଇଣ୍ଡିଆନ୍ ଓପନ୍ U23 ଆଥଲେଟିକ୍ସ ପ୍ରତିଯୋଗିତାରେ ଉଭୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ ୧୦୦ ମିଟରରେ ୧୦.୪୯ ସେକେଣ୍ଡ ଏବଂ ୨୦୦ ମିଟରରେ ୨୧.୧୦ ସେକେଣ୍ଡ ସମୟ ନେଇଥିଲେ। ଏହାଛଡ଼ା ୨୦୨୬ ମସିହାରେ ଅନୁଷ୍ଠିତ ୭୨ତମ ଓଡ଼ିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ସେ ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୨୬ ଇଣ୍ଡିଆନ୍ ଓପନ୍ U23 ରେ ୧୦୦ ମିଟରରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ।

ସେହିପରି ଆଉଜଣେ ପ୍ରତିଭାଶାଳୀ ଆଥଲେଟ୍ ମଳୟ ବାରିକଙ୍କ ଜନ୍ମ ୨୦୦୬ ଏପ୍ରିଲ ୧ ତାରିଖରେ ହୋଇଥିଲା। ସେ ବରଗଡ଼ ଜିଲ୍ଲାର ଅତାବିରାର ବାସିନ୍ଦା ଏବଂ ୪୦୦ ମିଟର ଇଭେଣ୍ଟରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିଲେ। ସିଦ୍ଧାର୍ଥ ପବ୍ଲିକ ସ୍କୁଲରୁ ପଢ଼ିଥିବା ମଳୟ କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ ହଷ୍ଟେଲରେ ରହି ଶିବ ପ୍ରସାଦ ମିଶ୍ରଙ୍କଠାରୁ ତାଲିମ ନେଉଥିଲେ। ସେ ରାଞ୍ଚିର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଆଥଲେଟିକ୍ସ ସିରିଜ-୪ରେ ୪୯.୩୩ ସେକେଣ୍ଡ ସମୟରେ ୪୦୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାବ୍ୟତୀତ ସେ ୨୦୨୫ ସେପ୍ଟେମ୍ବରରେ ଅନୁଷ୍ଠିତ ଇଷ୍ଟ ଜୋନ୍ ଜୁନିୟର ଚାମ୍ପିୟନସିପ୍‌ରେ ଓଡ଼ିଶାର ସ୍ୱର୍ଣ୍ଣ ବିଜେତା U-20 ୪x୪୦୦ ମିଟର ରିଲେ ଦଳର ଅଂଶବିଶେଷ ଥିଲେ ଏବଂ ୨୦୨୬ ଜୁନ୍‌ରେ ୭୨ତମ ଓଡ଼ିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ରୌପ୍ୟ ପଦକ ଜିତିଥିଲେ।

Leave a Reply

Your email address will not be published. Required fields are marked *