ସିଜେପି ପ୍ରସଙ୍ଗରେ ନବୀନ ପଟ୍ଟନାୟକ ସପକ୍ଷକୁ ନେଇ ରାଜ୍ୟ ରାଜନୀତିରେ ବୃଦ୍ଧି ପାଉଥିବା ଆରୋପ-ପ୍ରତ୍ୟାରୋପକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ ରଖିବା ଘଟଣା ଗଣତାନ୍ତ୍ରିକ ଅଧିକାର ଓ ମତପ୍ରକାଶର ସ୍ୱାଧୀନତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶାସକ ବିଜେପି ଦଳର ବାରମ୍ବାର ବ୍ୟକ୍ତିଗତ ଆକ୍ରମଣକୁ ନେଇ କଡ଼ା କଟାକ୍ଷ କରିଛି ବିଜୁ ଜନତା ଦଳ ।

ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିବା ସହ ରାଜନୈତିକ କାଦୁଅଫିଙ୍ଗା ଓ ଦେଶପ୍ରେମକୁ ନେଇ ପ୍ରଶ୍ନ ଉଠାଇବା ପରିବର୍ତ୍ତେ ତଥ୍ୟ ଆଧାରିତ ଏବଂ ଗଠନମୂଳକ ଆଲୋଚନା କରିବାକୁ ଶାସକ ଦଳକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମାଲୋଚନାର କଡ଼ା ଜବାବ ଦେଇ ଦାସବର୍ମା କହିଛନ୍ତି ଯେ, ଶାସକ ଦଳର ବିରୋଧୀ ଦଳ ନେତାଙ୍କ ସହ ମତଭେଦ ରହିବା ସ୍ୱାଭାବିକ, ମାତ୍ର ବ୍ୟକ୍ତିଗତ ସ୍ତରକୁ ଯାଇ ଅସମ୍ମାନଜନକ ମନ୍ତବ୍ୟ ଦେବା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ରାଜନୈତିକ ଶିଷ୍ଟାଚାରର ପରିପନ୍ଥୀ। ନବୀନ ପଟ୍ଟନାୟକଙ୍କୁ ‘ଦିଗହୀନ’ କହିବା ପୂର୍ବରୁ ଶାସକ ଦଳ ପ୍ରଥମେ ନିଜର ଦୂରଦୃଷ୍ଟି ଓ ନୀତି ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ଏକ ସୁସ୍ଥ ଗଣତନ୍ତ୍ରରେ ସରକାରଙ୍କ ନୀତି ନିୟମର ସମୀକ୍ଷା କରିବା ଏବଂ ଜନସ୍ୱାର୍ଥର ସୁରକ୍ଷା କରିବା ବିରୋଧୀ ଦଳର ମୁଖ୍ୟ ଦାୟିତ୍ୱ ହୋଇଥିବା ବେଳେ ସରକାରଙ୍କୁ ଗଠନମୂଳକ ପ୍ରଶ୍ନ ପଚାରିବାକୁ ‘ଦେଶବିରୋଧୀ’ ଆଖ୍ୟା ଦେବା ଶାସକ ଦଳର ଅସହିଷ୍ଣୁ ମାନସିକତାକୁ ଦର୍ଶାଉଛି।

​ଦେଶପ୍ରେମର ପ୍ରମାଣପତ୍ର ବାଣ୍ଟିବା ପାଇଁ କୌଣସି ଗୋଟିଏ ରାଜନୈତିକ ଦଳର ଏକଚାଟିଆ ଅଧିକାର ନାହିଁ ବୋଲି ଦାସବର୍ମା ସ୍ପଷ୍ଟ କରିଛନ୍ତି। ନିଜର ରାଜନୈତିକ ଫାଇଦା ପାଇଁ ଜାତୀୟତାବାଦ ପଛରେ ନଲୁଚି ତଥ୍ୟ ଓ ଯୁକ୍ତି ମାଧ୍ୟମରେ ମତଭେଦର ସାମ୍ନା କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ଏହାସହ ଗଣତନ୍ତ୍ରରେ ବିରୋଧୀ ଦଳ ଅନ୍ଧ ଭାବରେ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ସମର୍ଥନ କରିବ ବୋଲି ଆଶା ରଖିବା ଭୁଲ୍ ଏବଂ ସରକାରଙ୍କୁ ପ୍ରଶ୍ନ କରିବା ଏକ କର୍ତ୍ତବ୍ୟ, କୌଣସି ଅପରାଧ ନୁହେଁ ବୋଲି ସେ କହିଛନ୍ତି।

​ଅନ୍ୟପଟେ ନିର୍ବାଚନ ସ୍ୱଚ୍ଛତା ଉପରେ ଚିନ୍ତା ପ୍ରକାଶ କରି ସେ କହିଛନ୍ତି ଯେ, ଦେଶର ପ୍ରାୟ ୧୩ କୋଟି ଏବଂ ଓଡ଼ିଶାର ୨୭ ଲକ୍ଷ ନାଗରିକଙ୍କୁ ସେମାନଙ୍କ ଭୋଟ୍ ଅଧିକାରରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ଉପରେ ସରକାର ସ୍ୱଚ୍ଛତା ଆଣିବା ଆବଶ୍ୟକ। ଭାଷଣବାଜୀ ଓ ରାଜନୈତିକ ପ୍ରଚାରରୁ ଓହରି ଆସି ରାଜ୍ୟର ଅସଲ ସମସ୍ୟାଗୁଡ଼ିକ ଯଥା ନିଯୁକ୍ତି ସୁଯୋଗ ସୃଷ୍ଟି, ଚାଷୀଙ୍କ ବିବିଧ ସମସ୍ୟାର ସମାଧାନ, ମହିଳା ସୁରକ୍ଷା ଏବଂ ଯୁବବର୍ଗଙ୍କ ସଶକ୍ତୀକରଣ ଉପରେ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି। ଗଣତନ୍ତ୍ରରେ ସରକାର ଓ ବିରୋଧୀ ଦଳ ପରସ୍ପରର ଶତ୍ରୁ ନୁହନ୍ତି, ବରଂ ଦୁହେଁ ଜନସାଧାରଣଙ୍କ ନିକଟରେ ଜବାବଦାହୀ ହୋଇଥିବାରୁ, କେବଳ ଆକ୍ରମଣାତ୍ମକ ବାକ୍‌ଯୁଦ୍ଧ ନୁହେଁ ବରଂ କାର୍ଯ୍ୟକ୍ଷେତ୍ରରେ ନୀତି ଓ ସଫଳତା ଆଧାରରେ ହିଁ ଜନସାଧାରଣ ନେତାମାନଙ୍କର ବିଚାର କରିବେ ବୋଲି ସେ ବକ୍ତବ୍ୟ ଶେଷ କରିଛନ୍ତି।

Leave a Reply

Your email address will not be published. Required fields are marked *