ପୁରୀରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମା’କୁ ହତ୍ୟା କରିବା ପରେ ରୋଷେଇ ଘର ସ୍ଲାବ୍ ତଳେ ଶବ ପୋତି ସିମେଣ୍ଟ ପ୍ଲାଷ୍ଟର କରିଦେଇଥିବା ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିଛି। ଘଟଣାର ୫୭ ଦିନ ପରେ ପୋଲିସ ଅଭିଯୁକ୍ତ ମଦନକୁ ଗିରଫ କରିବାରେ ସଫଳ ହୋଇଛି। ଏ ସମ୍ପର୍କରେ ପୁରୀ ଏସପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଫେରାର୍ ଜୀବନ ପରେ ଅଭିଯୁକ୍ତକୁ ଝାଡ଼ଖଣ୍ଡରୁ କାବୁ କରାଯାଇଛି। ଗତ ଅଗଷ୍ଟ ୨୪ ତାରିଖରେ ଏହି ଭୟଙ୍କର ଅପରାଧ ଲୋକଲୋଚନକୁ ଆସିଥିଲା। ଭାଡ଼ାଘରର ମାଲିକାଣୀ ମନୋରମା ସାହୁ ବନ୍ଦ ଥିବା ଘରୁ ଏକ ଅସହ୍ୟ ଦୁର୍ଗନ୍ଧ ବାହାରୁଥିବା ଅନୁଭବ କରି ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଘରର ରୋଷେଇ ଘର ସ୍ଲାବ୍ ଉପରେ ନୂଆ ସିମେଣ୍ଟ ପ୍ଲାଷ୍ଟର ହୋଇଥିବା ଦେଖି କୁମ୍ଭାରପଡ଼ା ଆଇଆଇସି ଓ ସାଇଣ୍ଟିଫିକ୍ ଟିମ୍ ସନ୍ଦେହ ପ୍ରକାଶ କରିଥିଲେ। ପରେ ସେହି ସ୍ଲାବ୍କୁ ଖୋଳାଯିବା ପରେ ତଳୁ ଜଣେ ମହିଳାଙ୍କ ଗଳିତ ଶବ ମିଳିଥିଲା। ଗତ ସେପ୍ଟେମ୍ବର ୨୦ ତାରିଖରେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଥିଲା । କାରଣ ଏହାର ପର ଦିନ ଅର୍ଥାତ୍ର ୨୧ ତାରିଖ ଦିନ ଅଭିଯୁକ୍ତ ମଦନ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଏକ ଦୋକାନରୁ ସିମେଣ୍ଟ କିଣି ଆଣି ମା’ର ଶବକୁ ରୋଷେଇ ଘର ସ୍ଲାବ୍ ତଳେ ଲୁଚାଇ ପ୍ଲାଷ୍ଟର କରିଦେଇଥିବା ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଜଣାପଡ଼ିଥିଲା । ଏହାପରେ ମୋବାଇଲ୍ ଫୋନ୍ ଟ୍ରାକିଂ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିଲା। ପୋଲିସ ଅଭିଯୁକ୍ତର ମୂଳ ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡିକୁ ଯାଇ ତାଙ୍କ ଭାଇଙ୍କୁ ପଚରାଉଚରା କରିଥିଲା। ଏହାପରେ କୋଲକାତାରେ ଥିବା ତାଙ୍କ ଭଉଣୀଙ୍କ ସହ ଯୋଗାଯୋଗ କରାଯିବାରୁ ଜଣାପଡ଼ିଥିଲା ଯେ ମଦନ ତାଙ୍କୁ ମା’ ଅସୁସ୍ଥ ଥିବା କଥା କହିଥିଲେ ମଧ୍ୟ ମୃତ୍ୟୁ ସମ୍ପର୍କରେ କିଛି ଜଣାଇ ନଥିଲେ। ପୋଲିସ ତାମିଲନାଡୁ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା ଏବଂ ସୂଚନା ଦେବା ବ୍ୟକ୍ତିଙ୍କ ପାଇଁ ପୁରସ୍କାର ମଧ୍ୟ ଘୋଷଣା କରିଥିଲା। ଶେଷରେ ସେ ପୁଣି ଜାମସେଦପୁରକୁ ଫେରି ଏକ ଜଳଖିଆ ଦୋକାନରେ କାମ କରୁଥିବା ଖବର ପାଇ କୁମ୍ଭାରପଡ଼ା ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା । ଏହାପରେ ପୋଲିସର ପ୍ରାରମ୍ଭିକ ପଚରାଉଚରାରେ ମଦନ ନିଜର ଦୋଷ ସ୍ୱୀକାର କରିଛି। ଅନ୍ନପୂର୍ଣ୍ଣା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମା’ଙ୍କ ଅସୁସ୍ଥତା ଏବଂ ଦେଖାଶୋନା କରିବାରେ ଅସମର୍ଥ ହେବା ଭୟରୁ ସେ ଏପରି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାର ଅସଲ କାରଣ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। Post navigation DJ Music Banned in BBSR: ଭୁବନେଶ୍ୱରର ଦୁର୍ଗାପୂଜା ଭାସାଣିରେ ଡିଜେ ଉପରେ ଲାଗିଲା କଟକଣା; କଡ଼ା ଚେତାବନୀ ଦେଲେ ଡିସିପି Kotia Row: Pujari challenges Naveen: କୋଟିଆ ବିବାଦ: ନବୀନ ପଟ୍ଟନାୟକଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ କଲେ ସୁରେଶ ପୂଜାରୀ