ଭୁବନେଶ୍ୱରରେ ଦୁର୍ଗାପୂଜା ଭାସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼କଡ଼ି କଟକଣା ଜାରି କରାଯାଇଛି। ଚଳିତ ବର୍ଷ ଭାସାଣି ଶୋଭାଯାତ୍ରା ସମୟରେ ଡିଜେ ମ୍ୟୁଜିକ୍ ବଜାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ବୋଲି ମଙ୍ଗଳବାର ଦିନ ଡେପୁଟି କମିଶନର ଅଫ୍ ପୋଲିସ ସରବଣା ବିବେକ ଏମ୍. ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯଦି କେହି ଏହି ନିୟମର ଅବମାନନା କରନ୍ତି, ତେବେ ତୁରନ୍ତ ଡିଜେ ସରଞ୍ଜାମ ଜବତ କରାଯିବା ସହ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଏହି ନିୟମ ସମ୍ପର୍କରେ ଅବଗତ କରାଇବା ପାଇଁ ପୋଲିସ ପକ୍ଷରୁ ପୂଜା କମିଟି ଓ ଭାସାଣି ଆୟୋଜକମାନଙ୍କ ସହ ଦୁଇଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇସାରିଥିବାବେଳେ ଆୟୋଜକମାନେ ମଧ୍ୟ ନିୟମ ପାଳନ କରିବାକୁ ସହମତି ପ୍ରକାଶ କରିଛନ୍ତି। ଡିଜେର ବିକଳ୍ପ ସମ୍ପର୍କରେ ପଚରାଯିବାରୁ ପୋଲିସ ପକ୍ଷରୁ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ, ସହରର ୯ଟି ସ୍ଥାନରେ ହେବାକୁ ଥିବା ରାବଣ ପୋଡ଼ି ଉତ୍ସବ ପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ରାବଣ ପୋଡ଼ି ସ୍ଥଳରୁ ଚାରିଆଡ଼କୁ ଅତିକମରେ ୧୦୦ ମିଟର ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବାଣ ଗଚ୍ଛିତ ରଖିବା ସ୍ଥାନଟି ଉତ୍ସବ ସ୍ଥଳରୁ ଅତିକମରେ ୨୫୦ ମିଟର ଦୂରରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହି ସମସ୍ତ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ୍ ଲେଖାଏଁ ପୋଲିସ ଫୋର୍ସ ମୋତୟନ ରହିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ମଧ୍ୟ ପ୍ରସ୍ତୁତ ରହିବେ। ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଭାସାଣି କାର୍ଯ୍ୟ ପାଇଁ କୁଆଖାଇ ନଦୀ ନିକଟରେ ୩ଟି, ଦୟା ନଦୀ ନିକଟରେ ଗୋଟିଏ, ସେଞ୍ଚୁରିଆନ୍ ୟୁନିଭରସିଟି ନିକଟରେ ଗୋଟିଏ ଏବଂ ଚନ୍ଦକା ଅଞ୍ଚଳରେ ଗୋଟିଏ ସହିତ ମୋଟ ୬ଟି ଅସ୍ଥାୟୀ ପୁଷ୍କରିଣୀର ବ୍ୟବସ୍ଥା କରାଯାଇଛି। ସମଗ୍ର ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମୋଟ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ପ୍ରାୟ ୧୦୦ ଜଣିଆ ବରିଷ୍ଠ ଅଧିକାରୀ ନିୟୋଜିତ ହେବେ। ଉତ୍ସବକୁ ଅଶାନ୍ତିମୁକ୍ତ ଏବଂ ସଫଳ କରିବା ପାଇଁ ସମସ୍ତ ଆୟୋଜକ ଏବଂ ଜନସାଧାରଣ ପ୍ରଶାସନର ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। Post navigation टाइगर श्रॉफ पर फायरिंग के लिए हमलावरों को मिले थे सुपारी