ଗଞ୍ଜାମରୁ ଏକ ବଡ଼ଧରଣର ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ନିଜକୁ ଜଣେ ଡାକ୍ତର ଭାବେ ପରିଚୟ ଦେଇ ଜଣେ ହାଇପ୍ରୋଫାଇଲ୍ ଠକ ବିଭିନ୍ନ ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ମହିଳାମାନଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବିପୁଳ ପରିମାଣର ଅର୍ଥ ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଠକେଇର ମାଷ୍ଟରମାଇଣ୍ଡ ଜିନୁ ସାହାଣୀ ଓରଫ ରାକେଶ ରାଜପୁତ କନ୍ଧମାଳ ଜିଲ୍ଲା ପିଓନପଡ଼ା ଗ୍ରାମର ଥିବା ଜଣାପଡ଼ିଛି।

ଏହି ଠକ ଜଣକ ବିଶେଷ କରି ବିଧବା ଏବଂ ଏକାକୀ ରହୁଥିବା ମହିଳାମାନଙ୍କୁ ଅଧିକ ଟାର୍ଗେଟ୍ କରୁଥିଲା। ଏକାଧିକ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଗଞ୍ଜାମ ସାଇବର ପୋଲିସ ମାମଲାର ଗୁରୁତର ସହ ତଦନ୍ତ କରିଥିଲା ଏବଂ ଗୋଆରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ବିଭିନ୍ନ ମାଟ୍ରିମୋନିଆଲ୍ ସାଇଟ୍ ମାଧ୍ୟମରେ ମୋଟ ୧.୧୯ କୋଟି ଟଙ୍କା ଠକିଥିବା ଜଣାପଡିଛି। ଏହି ଘଟଣାରେ ସାଇବର ପୋଲିସ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ; ଭଞ୍ଜନଗରର ଶ୍ରଦ୍ଧା ସୁମନ ପଣ୍ଡା ନାମ୍ନୀ ଜଣେ ମହିଳା ଦ୍ୱିତୀୟ ବିବାହ ପାଇଁ ‘Jeevansathi.com’ ମ୍ୟାଟ୍ରିମୋନିଆଲ୍ ପ୍ଲାଟଫର୍ମରେ ପ୍ରୋଫାଇଲ୍ ତିଆରି କରିଥିବା ବେଳେ ଅଭିଯୁକ୍ତ ନିଜକୁ ଭୁବନେଶ୍ୱରର ସାଇ କୃପା ଦାସ ଭାବେ ପରିଚୟ ଦେଇ ତାଙ୍କ ସହ ସମ୍ପର୍କ ଯୋଡ଼ିଥିଲା। ବିବାହର ପ୍ରତିଶ୍ରୁତି ଦେଇ ବିଶ୍ୱାସ ଜିତିବା ପରେ, ସେ ବାପାଙ୍କ ଅସୁସ୍ଥତା, ମୃତ୍ୟୁ ଏବଂ ନିଜର ସୋରିଆସିସ୍ ରୋଗ ଚିକିତ୍ସା ଭଳି ବିଭିନ୍ନ ବାହାନାରେ ମହିଳାଙ୍କଠାରୁ ଟଙ୍କା ହଡ଼ପ କରିଥିଲା। ନିଜ କଥାକୁ ସତ ପ୍ରମାଣିତ କରିବାକୁ ସେ ହ୍ଵାଟ୍ସଆପ୍ ମାଧ୍ୟମରେ ଜାଲ୍ ମେଡିକାଲ୍ କାଗଜପତ୍ର, ମିଥ୍ୟା ଫଟୋ ପଠାଇବା ସହ ଭିଡିଓ କଲ୍ ମଧ୍ୟ କରୁଥିଲା। ଏପରିକି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବା ଦର୍ଶାଇ ସେ ମହିଳାଙ୍କ ୟୁନିଅନ୍ ବ୍ୟାଙ୍କ ଆକାଉଣ୍ଟର ନିୟନ୍ତ୍ରଣ ମଧ୍ୟ ନିଜ ହାତକୁ ନେଇଯାଇଥିଲା। ମହିଳା ଜଣକ ଅଭିଯୁକ୍ତର କଥାରେ ପଡ଼ି ସୁନା ଗହଣା ବନ୍ଧକ ରଖିବା ସହ ପରିବାର ଓ ଅନ୍ୟମାନଙ୍କଠାରୁ ଟଙ୍କା ଆଣି ବିଭିନ୍ନ ଆକାଉଣ୍ଟକୁ ପ୍ରାୟ ୬୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ।

ପୋଲିସ ଏହି ଘଟଣାରେ ଅଭିଯୁକ୍ତ ନିକଟରୁ ୭ଟି ମୋବାଇଲ୍, ୭ଟି ସିମ୍ କାର୍ଡ, ୬ଟି ଚାର୍ଜର, ଜାଲ୍ ରବର ଷ୍ଟାମ୍ପ, କୋର୍ଟ ଅର୍ଡର, ଏସବିଆଇ ଡିମାଣ୍ଡ ଡ୍ରାଫ୍ଟ ରସିଦ ସମେତ ବିଭିନ୍ନ ପରିଚୟପତ୍ର ଜବତ କରିଛି। ଏଥିସହ ୨,୦୮୦ ଟଙ୍କା ନଗଦ ଜବତ କରାଯାଇ ପ୍ରାୟ ୧୨,୩୧,୯୭୬ ଟଙ୍କା ବିଭିନ୍ନ ଆକାଉଣ୍ଟରେ ଫ୍ରିଜ୍ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜଣକ ୨୦୧୫ ମସିହାରୁ ଏଭଳି ଭାବେ ନକଲି ପରିଚୟ ସୃଷ୍ଟି କରି ବିଶେଷ କରି ବିଧବା ମହିଳାମାନଙ୍କୁ ଟାର୍ଗେଟ୍ କରି ଆସୁଥିଲା। ଭୁବନେଶ୍ୱରର ବିଭିନ୍ନ ଥାନା, କୋଣାର୍କ ଏବଂ ବ୍ରହ୍ମପୁର ସାଇବର ଥାନାରେ ତାଙ୍କ ନାଁରେ ମାମଲା ରହିଥିବା ବେଳେ ମୋଟ ଠକେଇର ପରିମାଣ ୧ କୋଟି ଟଙ୍କାରୁ ଅଧିକ ହେବ ଆକଳନ କରାଯାଇଛି। ଏହି ମାମଲାରେ ପୂର୍ବରୁ ଉତ୍ତମ କୁମାର ସାହୁ ଓରଫ ମିକି ନାମକ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ ଅଗଷ୍ଟ ୨, ୨୦୨୬ରେ କୋର୍ଟଚାଲାଣ କରାଯାଇଥିବା ବେଳେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।

 

Leave a Reply

Your email address will not be published. Required fields are marked *