ଆସନ୍ତା ଦୁର୍ଗାପୂଜା ଉତ୍ସବକୁ ଦୃଷ୍ଟିରେ ରଖି କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶିତ ଏହି ବିଜ୍ଞପ୍ତି ଅନୁସାରେ, ଆସନ୍ତା ୧୬.୧୦.୨୦୨୩ ସପ୍ତମୀଠାରୁ ୨୧.୧୦.୨୦୨୩ ଦଶମୀ ପରଦିନ ରାତି ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ, ୨୦୦୩ ର ଧାରା ୨୮ ଏବଂ କମିଶନରେଟ୍ ଅର୍ଡର ୨୦୦୮ ର ଧାରା ୫୭ ଅନୁସାରେ ପ୍ରଣୟନ କରାଯାଇଥିବା ଏହି ନିୟମ ଗୁଡ଼ିକ ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଲାଗୁ ହେବ । କେବଳ ଜରୁରୀକାଳୀନ ସେବା, ଶବବାହକ ଗାଡ଼ି, ପ୍ରେସ ଏବଂ ଶିକ୍ଷାର୍ଥୀମାନଙ୍କୁ କିଛି ନିର୍ଦ୍ଦିଷ୍ଟ କଟକଣାରୁ ବାଦ୍ ଦିଆଯାଇଛି । ସର୍ବସାଧାରଣଙ୍କ ସୁବିଧା ପାଇଁ କେତେକ ପ୍ରମୁଖ ରାସ୍ତାରେ ଯାନବାହନ ଚଳାଚଳକୁ ନିମ୍ନମତେ ନିୟନ୍ତ୍ରିତ କରାଯାଇଛି । ହାୱଡା ମୋଟର ଛକଠାରୁ କୌଣସି ଯାନବାହନ ସିଧା ମହାନଦୀ ଛକ ଆଡ଼କୁ ଯାଇପାରିବେ ନାହିଁ । ସେମାନେ ମାତାମଠ ଛକ ଏବଂ ଶନି ମନ୍ଦିର ଦେଇ ଯାଇପାରିବେ । ମହାନଦୀ ଦେବୀ ପଠା ଛକଠାରୁ ବକ୍ସି ବଜାର ବା ଯୋଗୀସାହି ଆଡ଼କୁ ଯାନବାହାନ ଚଳାଚଳ ବନ୍ଦ ରହିବ । ମୋଚି ସାହି ଛକରୁ ଗାନ୍ଧୀଘାଟ ବା ରାଣୀହାଟ ସ୍କୁଲ ଦେଇ ଦଲାଇ ଛକ ଆଡ଼କୁ ଯାଇପାରିବେ ନାହିଁ । ଯାନବାହନଗୁଡ଼ିକ ଚୌଧୁରୀ ବଜାର ଛକ ଏବଂ କେନାଲ ରୋଡ଼ରେ ଯାଇପାରିବେ । ଭିଡ଼ ସମୟରେ, କଟକ ସୁଗାର ଛକରୁ ଆସୁଥିବା ଗାଡ଼ି ଗୁଡ଼ିକ ବିଏସଏନଏଲ ଛକ, ବମ୍ବେ ହୋଟେଲ ଛକ, ଏବଂ ପୋଷ୍ଟ ଅଫିସ ଛକ ଦେଇ ମାଲଗୋଦାମ ପ୍ଲାଏ ଓଭର ଦେଇ ଯାଇପାରିବେ । କୌଣସି ଗାଡ଼ି ପୋଷ୍ଟ ଅଫିସ ଛକରୁ କଲେଜ ଛକ ଆଡ଼କୁ ଯାଇପାରିବେ ନାହିଁ । ଦୋଳମୁଣ୍ଡାଇ ଛକଠାରୁ ଯାନବାହନ ଗୁଡ଼ିକ ମହତାବ ରୋଡ଼ କିମ୍ବା ବଜ୍ରକବାଟି ଛକ ଦେଇ ଖାନନଗର ବା ଓଏମପି ଆଡ଼କୁ ଯାଇପାରିବେ । ଓଏମପି ବା ଖାନନଗରରୁ ମାଲଗୋଦାମ ଦେଇ ମହତାବ ରୋଡ଼ ପଟକୁ ଯାନବାହନ ଚଳାଚଳ ବନ୍ଦ ରହିବ । ମାଲଗୋଦାମ ଛକ ଚତୁର୍ଥ ବଜାର ଛକ ଦେଇ ମହତାବ ରୋଡ଼ ବା ପିଲଗ୍ରିମ ରୋଡ଼ ପଟୁ କଲେଜ ଛକ ଆଡ଼କୁ ଯାଇପାରିବେ ନାହିଁ । ସମ୍ରାଟ ସିନେମା ଛକରୁ ବା କଲ୍ୟାଣୀ ନଗର ଛକରୁ ତାଳଦଣ୍ଡା କେନାଲ ରୋଡ଼ ଦେଇ ଖାନନଗର ଆଡ଼କୁ ଯାଇପାରିବେ ନାହିଁ । ତାଳଦଣ୍ଡା କେନାଲ ରୋଡ଼ରୁ କୌଣସି ଯାନବାହନ ବକ୍ସି ବଜାର ଆଡ଼କୁ ଯାଇପାରିବେ ନାହିଁ । ଷଷ୍ଠୀ, ସପ୍ତମୀ, ଏବଂ ଅଷ୍ଟମୀ ଦିନ ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏବଂ ନବମୀ ଦିନ ଅପରାହ୍ନ ୪ଟାରୁ ବିସର୍ଜନ ରାତି ପର୍ଯ୍ୟନ୍ତ ଭାରୀ ଯାନ ଚଳାଚଳ ଉପରେ କଡ଼ା କଟକଣା ରହିବ । ଖୋର୍ଦ୍ଧା ଆଡ଼କୁ ଯାଉଥିବା ଭାରୀଯାନ ଗୁଡ଼ିକ ପାଇଁ ଜାତୀୟ ରାଜପଥ-୧୬ ରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ସମ୍ରାଟ ସିନେମା ଛକରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରାସ୍ତା ସନ୍ଧ୍ୟା ସମୟରେ କେବଳ ଦୁଇ ଚକିଆ ଯାନ ପାଇଁ ଖୋଲା ରହିବ । ବାସୁଦେବପୁର ରିଂ ରୋଡ଼, ଓଏମପି ଛକ ଏବଂ ଚାଉଳିଆଗଞ୍ଜ ଛକ ମଧ୍ୟରେ କେତେକ କଟକଣା ଲାଗୁ ହେବ । ବିଶେଷ ଭିଡ଼ ସମୟରେ ବକ୍ସି ବଜାରରୁ ଯାନବାହାନ ଓଏମପି ଆଡ଼କୁ ନ ଯାଇପାରନ୍ତି । କୌଣସି ବି ଯାନବାହାନକୁ ଚତୁର୍ଥ ବଜାର ଏବଂ ପୋଲିସ ମୁଖ୍ୟାଳୟ ରାସ୍ତାରେ ପ୍ରବେଶ ଅନୁମତି ମିଳିବ ନାହିଁ । ପୂଜା କମିଟି, ପୂଜକ, ଏବଂ ଅନ୍ୟ କର୍ମଚାରୀଙ୍କ ପାସ୍ ଧାରୀ ଗାଡ଼ି ଗୁଡ଼ିକ ପାଇଁ କିଛି ନିୟମ କୋହଳ କରାଯାଇଛି । ସର୍ବସାଧାରଣଙ୍କ ସୁରକ୍ଷିତ ଓ ସୁବିଧାଜନକ ପୂଜା ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ କାମନା କରାଯାଇଛି । Post navigation India Squad Announced for New Zealand Series: ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା