ନେପାଳର ପାହାଡ଼ିଆ ଅଞ୍ଚଳରେ ଘଟିଥିବା ଭୂସ୍ଖଳନ କାରଣରୁ ପୁଣି ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ମାଟି ଓ ପଥର ଖସିବା ପରେ ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ଜଳପ୍ରବାହ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି। ଫଳରେ ନେପାଳର ଗୋରଖା ଜିଲ୍ଲାର ନଦୀକୂଳବର୍ତ୍ତୀ ତଳିଆ ଅଞ୍ଚଳଗୁଡ଼ିକରେ ପ୍ରବଳ ଜଳରାଶି ମାଡ଼ିଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ନଦୀକୂଳରେ ଥିବା ଅନେକ ଘରଦ୍ୱାର, ପୋଲ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବନ୍ୟା ଜଳରେ ଭାସିଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ଓ ନେପାଳ ସେନା ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଗାଁଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏହାସହ ନଦୀର ତଳମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକ ପାଇଁ ସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। କାଠମାଣ୍ଡୁଠାରୁ ପ୍ରାୟ ୧୦୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଚୁମନୁବ୍ରୀ ଗ୍ରାମ ନିକଟରେ ଏହି ଭୂସ୍କଳନ ଘଟିବା ଦ୍ୱାରା ନଦୀର ଜଳସ୍ରୋତ ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଭାଙ୍ଗିଯିବାରୁ ନଦୀର ତଳମୁଣ୍ଡକୁ ପ୍ରବଳ କାଦୁଅ, ପାଣି ଓ ବର୍ଜ୍ୟବସ୍ତୁ ମାଡ଼ି ଆସି ବନ୍ୟା ରୂପ ନେଇଥିଲା। ଏହି ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳ ପ୍ରଶାସନ ନଦୀକୂଳିଆ ଅଞ୍ଚଳର ହଜାର ହଜାର ବାସିନ୍ଦାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଳୟଙ୍କରୀ ବନ୍ୟା ସ୍ରୋତରେ ପ୍ରାୟ ୧୨ଟି ଘର, ୨ଟି ଝୁଲା ପୋଲ ଏବଂ ଗୋର୍ଖା ସହ ନିକଟସ୍ଥ ଧାଡିଙ୍ଗ୍ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ଜାତୀୟ ରାଜପଥ ପୋଲ ଭାସିଯାଇ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା ପ୍ରାଧିକରଣ ଗୋର୍ଖା, ତାନାହୁନ, ଚିତୱାନ ଏବଂ ନୱାଲପରାସୀ ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଆଲର୍ଟ ଜାରି କରିଛି। ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ଜୀବନହାନିର ଖବର ମିଳିନଥିଲେ ସୁଦ୍ଧା ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ରହିଛନ୍ତି। Post navigation DRI Seizes Gold Biscuits in Visakhapatnam: ବିଶାଖାପାଟଣାରୁ ୯.୮୧ କୋଟି ଟଙ୍କାର ସୁନା ବିସ୍କୁଟ୍ ଜବତ: ୨ ଗିରଫ Odisha Congress Leaders in Delhi: ଦିଲ୍ଲୀରେ ଗର୍ଜିବ ଓଡ଼ିଶା କଂଗ୍ରେସ: ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକରା