Odisha, Tata Steel Friendship Cup Football Tournament, Kalinga Stadium, Mohan Majhi

ଖେଳକୁଦ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଖେଳ ମାଧ୍ୟମରେ ସମାଜରେ ଏକତା, ଭାଇଚାରା ଓ ସଦ୍‌ଭାବନା ବୃଦ୍ଧି ପାଇଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୧୬ତମ ଟାଟା ଷ୍ଟିଲ୍‌ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଟାଟା ଷ୍ଟିଲ୍‌ ପକ୍ଷରୁ ଆୟୋଜିତ ଏହି ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ଟାଟା ଷ୍ଟିଲ୍‌ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ମିଡିଆ-୧୧ ଦଳ ଚାମ୍ପିୟନ ହୋଇଥିବା ବେଳେ ଅଫିସର୍ସ-୧୧ ଦଳ ରନର୍ସଅପ୍ ହୋଇଥିଲା ।

ଏହି ଅବସରରେ ଚୀନ୍‌ରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ହକି-୨୦୨୬ରେ ଚାମ୍ପିୟନ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ୭ ଜଣ ପୁରୁଷ ଓ ୩ ଜଣ ମହିଳା ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ପ୍ରତ୍ୟେକ ଖେଳାଳିଙ୍କୁ ୧.୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ସମସ୍ତଙ୍କ ଉତ୍ସାହଜନକ ଅଂଶଗ୍ରହଣକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖେଳ ମୈଦାନରେ ଜିତିବା କିମ୍ବା ହାରିବାଠାରୁ ବଡ଼ କଥା ହେଉଛି ‘ସ୍ପୋର୍ଟ୍ସମ୍ୟାନ୍ ସ୍ପିରିଟ୍’ । ଖେଳ ମାଧ୍ୟମରେ ପରସ୍ପର ମଧ୍ୟରେ ସମନ୍ୱୟ ଓ ସମ୍ପର୍କ ଦୃଢ଼ ହୋଇଥାଏ। ଖେଳୁଆଡ଼ ମନୋଭାବ ଓ ଭାଇଚାରା ଏକ ସୁସ୍ଥ ସମାଜର ମୂଳଦୁଆ ବୋଲି ସେ ଉଲ୍ଲେଖ କରିଥିଲେ ।

ଏଥିସହ ଟାଟା ଷ୍ଟିଲ୍‌ର ସାମାଜିକ ଦାୟିତ୍ୱବୋଧକୁ ପ୍ରଶଂସା କରିବା ସହ ପ୍ରତିବର୍ଷ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ କମ୍ପାନୀକୁ ଧନ୍ୟବାଦ ଜଣାଇଥିଲେ ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଟାଟା ଷ୍ଟିଲ୍‌ର ଭାଇସ୍ ପ୍ରେସିଡେଣ୍ଟ (କର୍ପୋରେଟ୍ ସର୍ଭିସେସ୍) ଡି.ବି. ସୁନ୍ଦର ରମମ୍‌ଙ୍କ ସମେତ ବିଧାୟକ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *