ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜା ପୂର୍ବରୁ ଜୋର୍ଜବରଦସ୍ତି ଚାନ୍ଦା ଆଦାୟ ଓ ଦାଦାବଟି ବିରୋଧରେ କମିସନରେଟ୍ ପୁଲିସ ଆରମ୍ଭ କରିଛି ବଡ଼ ଅଭିଯାନ। ବଳପୂର୍ବକ ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ମାର୍କତନଗର ଥାନା ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଜଗତପୁର ଥାନା ପୋଲିସ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ରାସ୍ତାରେ ଗାଡ଼ି ଅଟକାଇ ଚାନ୍ଦା ମାଗିବା ଓ ବ୍ୟବସାୟୀଙ୍କଠାରୁ ଜୋର୍ଜବରଦସ୍ତି ଟଙ୍କା ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ସୂଚନା ମୁତାବକ; ପୂଜା ଋତୁରେ ରାଜ୍ୟରେ ଜୋରଜବରଦସ୍ତ ଚାନ୍ଦା ଆଦାୟ, ଭୟଭୀତ କରିବା କିମ୍ବା କୌଣସି ପ୍ରକାର ଗୁଣ୍ଡାଗର୍ଦ୍ଦି ନଜରକୁ ଆସିଲେ ସାଧାରଣ ଲୋକେ ୧୧୨ କିମ୍ବା ପୋଲିସ ହେଲ୍ପଲାଇନ ନମ୍ବର ୮୨୮୦୩୩୮୩୦୩ ରେ ଯୋଗାଯୋଗ କରିବାକୁ କଟକ ଡିସିପି ପରାମର୍ଶ ଦେଇଛନ୍ତି। ପୂଜା ପାର୍ବଣ ନାଁରେ ଚାନ୍ଦା ଆଦାୟ କିମ୍ବା ଶାନ୍ତିଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଆହୁରି କଡ଼ାକଡ଼ି କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। Post navigation Dhiraj Bommadevara Creates History, Wins Archery World Cup Final Gold Punjab to Host Hockey Asian Champions Trophy 2026