ପୁଣି ଚର୍ଚ୍ଚାରେ ରାଉରକେଲାର ପାନପୋଷ ସର୍କିଟ ହାଉସ । ଏହି ସର୍କିଟ ହାଉସକୁ ନେଇ ପ୍ରାୟ ପ୍ରତିଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି । ଏଥର ଆଡଲ୍ଟ ୱେବ ସିରିଜ ଅଭିନେତ୍ରୀ ଓ ମଡେଲ ଟିନା ନନ୍ଦୀଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବା ପରେ ରାଉରକେଲା ସରକାରୀ ସର୍କିଟ ହାଉସରେ ତାଙ୍କ ରହଣିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ପ୍ରାୟ ଦେଢ଼ ବର୍ଷ ପୁରୁଣା ବୋଲି କୁହାଯାଉଥିବା ଏହି ଭିଡିଓଟି ଜାନୁଆରୀ ୧, ୨୦୨୫ ସମୟର ବୋଲି ଦାବି କରାଯାଉଛି । ଭିଡିଓରେ ଟିନା ନନ୍ଦୀ ନିଜେ ରାଉରକେଲା ସର୍କିଟ ହାଉସରେ ରହିଥିବା କଥା କହିଛନ୍ତି । ତାଙ୍କ ରହଣିର ବ୍ୟବସ୍ଥା ଜଣେ ଘରୋଇ କମ୍ପାନୀର ସିଇଓ କରିଥିବା ସହ ଏକ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ରାଉରକେଲା ଆସିଥିବା ବେଳେ ଜଣେ ଏସ୍ପି ପାହ୍ୟାର ପୁଲିସ ଅଧିକାରୀଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ତେବେ ସେ ଉକ୍ତ ସିଇଓ କିମ୍ବା ପୁଲିସ ଅଧିକାରୀଙ୍କ ନାମ ପ୍ରକାଶ କରିନାହାନ୍ତି । ଭିଡିଓରେ ତାଙ୍କ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ଏବଂ ପରବର୍ତ୍ତୀ ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଏକ କାରରେ ଯାତ୍ରା କରୁଥିବା ଦୃଶ୍ୟ ମଧ୍ୟ ରହିଛି । ରାଉରକେଲାରେ ରହଣି ସମୟରେ ତାଙ୍କୁ ସ୍ୱତନ୍ତ୍ର ଆତିଥ୍ୟ ମିଳିଥିବା କଥା ମଧ୍ୟ ସେ ଭିଡିଓରେ କହିଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ସର୍କିଟ ହାଉସରେ ତାଙ୍କ ରହଣି କାହା ନାମରେ ବୁକ୍ ହୋଇଥିଲା, କିଏ ତାଙ୍କ ରହିବା ପାଇଁ ସୁପାରିସ କରିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ସେ ରାଉରକେଲା ଆସିଥିଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ସେ ଉଲ୍ଲେଖ କରିଥିବା କମ୍ପାନୀର ସିଇଓ, ପୁଲିସ ଅଧିକାରୀ ଏବଂ ସର୍କିଟ ହାଉସ ବୁକିଂ ମଧ୍ୟରେ କୌଣସି ସମ୍ପର୍କ ରହିଥିଲା କି ନାହିଁ, ତାହାର ମଧ୍ୟ ସ୍ପଷ୍ଟତା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି। ସରକାରୀ ସର୍କିଟ୍ ହାଉସରେ ତାଙ୍କ ରହଣି ପାଇଁ କିଏ ଅନୁମତି ଦେଇଥିଲେ ଓ କାହିଁକି ଦେଇଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ସମ୍ପୃକ୍ତ କମ୍ପାନୀ, ଅଧିକାରୀ ଏବଂ ସର୍କିଟ୍ ହାଉସ୍ ବୁକିଂ ମଧ୍ୟରେ କୌଣସି ସମ୍ପର୍କ ଥିଲା କି ନାହିଁ, ତାହାର ତଦନ୍ତ ଅତି ଜରୁରୀ । ସେହିପରି ଭିଡିଓରେ ଟିନା ଯେଉଁ ଏସ୍ପିଙ୍କ କଥା କହୁଛନ୍ତି, ସେହି ଏସ୍ପି ଜଣକ କିଏ? ଟିନାଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରୁ ଆସିଥିବା କମ୍ପାନୀର ସିଇଓଙ୍କ ସହ ତାଙ୍କର କି ସମ୍ପର୍କ ରହିଛି? ସେ କାହିଁକି ସେହି ଏସ୍ପିଙ୍କ ନିକଟକୁ ଟିନାଙ୍କୁ ପଠାଇଥିଲେ? କେଉଁ ଅଧିକାରୀଙ୍କ କାର୍ଯ୍ୟ ପାଇଁ ଏହା ଉଦ୍ଦିଷ୍ଟ ଥିଲା? ତେବେ ଏ ସବୁକୁ ଜାଣିବାକୁ ହେଲେ ଜାନୁଆରୀ ୧, ୨୦୨୫ର ସର୍କିଟ ହାଉସ ରେକର୍ଡ ଯାଞ୍ଚ କଲେ ସମଗ୍ର ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସି ପାରିବ । Post navigation Telkoi BJP MLA Fears For Life: ତେଲକୋଇ ବିଧାୟକଙ୍କୁ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ: ସୁରକ୍ଷା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ପତ୍ର