ଲୋକ ସେବା ଭବନଠାରେ ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଏକ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଯୋଗଦେଇ ଅନ୍ୟମାନଙ୍କୁ ନୂତନ ଜୀବନ ପ୍ରଦାନ କରିଥିବା ଅଙ୍ଗଦାତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ‘ସୂରଜ ସମ୍ମାନ’ରେ ସମ୍ମାନିତ କରିଛନ୍ତି। ଚଳିତ ବର୍ଷ ରାଜ୍ୟର ୧୧ଟି ଜିଲ୍ଲାରୁ ପ୍ରାୟ ୨୪ ଜଣ ଅଙ୍ଗଦାତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସମ୍ମାନ ସ୍ୱରୂପ ସେମାନଙ୍କ ପରିବାରକୁ ପ୍ରମାଣପତ୍ର ସହିତ ୫ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଗୋଟିଏ ବର୍ଷରେ ସର୍ବାଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ‘ସୂରଜ ସମ୍ମାନ’ ମିଳିବାରେ ଚଳିତ ବର୍ଷ ପୂର୍ବ ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚଳିତ ବର୍ଷ ଏହି ସଫଳତା ମିଳିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଡାକ୍ତର ମହାଲିଙ୍ଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସିଦ୍ଧ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସୃଷ୍ଟି ହୋଇଥିବା ସଚେତନତା ଦେଶରେ ଅଙ୍ଗଦାନ ପାଇଁ ଏକ ନୂତନ ଜନ ଆନ୍ଦୋଳନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଯୋଗୁଁ ଆଜି ଭାରତ ଅଙ୍ଗଦାନ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଅଙ୍ଗଦାନ କେବଳ ଏକ ନିଷ୍ପତ୍ତି ନୁହେଁ, ବରଂ ଅନ୍ୟ ଜଣଙ୍କ ଆଖିରେ ନୂଆ ସ୍ୱପ୍ନ ଓ ଜୀବନ ଦେବାର ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ‘ଦାନ’କୁ ଏକ ମହାନ ମାନବୀୟ ମୂଲ୍ୟବୋଧ ଭାବେ ଗଣନା କରାଯାଏ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱଥୀ ଏସ୍., ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତିରୋପଣ ସଂଗଠନ (NOTO)ର ନିର୍ଦ୍ଦେଶକ ଅନିଲ କୁମାରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଙ୍ଗଦାନ ପ୍ରକ୍ରିୟାକୁ ସାଧାରଣ ଜନତାଙ୍କ ମଧ୍ୟରେ ଅଧିକ ଆଦୃତ କରିବା ପାଇଁ ବ୍ୟାପକ ପ୍ରଚାର ଓ ସଚେତନତା ସୃଷ୍ଟି କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। Post navigation MLA Salary Hike: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ସମୁଦ୍ରକୁ ଶଙ୍ଖେ ଭଳି ଦରମା ମିଳୁଛି: ପରିବହନ ମନ୍ତ୍ରୀ BJD Slams ‘Double Engine’ Govt: ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀକୁ ଯିବ: ବିଜେଡି