ଦେଶରେ ୬ଟି ରାଜ୍ୟରେ ହେଉଥିବା ଉପନିର୍ବାଚନ ଶେଷ ହୋଇଛି । ଇଭିଏମରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏହାରି ମଧ୍ୟରେ ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ହୋଇଛି ୮୩.୪୫% ମତଦାନ । ଏ ନେଇ ECIଙ୍କ ପକ୍ଷରୁ ସୂଚନା ଜାରି ହୋଇଛି । ନୂଆପଡ଼ାରେ ଗତ ୨୦୨୪ ସାଧାରଣ ନିର୍ବାଚନ ଅପେକ୍ଷା ମତଦାନ ବୃଦ୍ଧି ପାଇଛି । ଗତ ନିର୍ବାଚନରେ ୭୫.୪୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ବର୍ଷ ୮୩.୪୫% ମତଦାନ ରେକର୍ଡ କରାଯାଇଛି । ସୂଚନା ଯୋଗ୍ୟ; ଗତକାଲି ସକାଳ ୭ଟାରୁ ନୂଆପଡ଼ାରେ ମତଦାନ ଆରମ୍ଭ ହୋଇଥିଲା । କେବଳ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଅପରାହ୍ନ ୪ଟାରେ ମତଦାନ ହୋଇଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ରାତି ୭ଟା ଯାଏ ମତଦାନ ହୋଇଥିଲା । ମୋଟ ୩୫୮ଟି ବୁଥରେ ଭୋଟିଂ ହୋଇଥିଲା । କିଛି ସ୍ଥାନରେ ମକ୍ ପୋଲିଂ ବେଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା, ଯାହାକୁ ତୁରନ୍ତ ପରିବର୍ତ୍ତନ କରାଯାଇଥିଲା । ସେହିପରି ଆଉ ଗୋଟିଏ ବୁଥରେ ମତଦାନ ମଝିରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହା ପରେ ଖରିଆର ରୋଡରେ ଥିବା ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍ ରଖାଯାଇଛି । ନୂଆପଡ଼ା ଓ କୋମନା ବ୍ଲକ୍ର କିଛି ବୁଥ୍ରେ ରାତି ୭ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ସେହିପରି ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ମାଓପ୍ରବଣ ୮ଟି ବୁଥ୍ରେ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ପୋଲିଂ ଅଧିକାରୀମାନେ ଇଭିଏମ୍ ଧରି ସୁରକ୍ଷିତ ଭାବେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଫେରିଥିଲେ। Post navigation T-20: ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀକ ଟି-୨୦ ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା ବୈଠକ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ SI Scam: ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ