ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୭ ପ୍ରସ୍ତାବ ଉପରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟରେ ୬ଟି ବିଭାଗର ୭ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

କ୍ୟାବିନେଟ୍‌ ବୈଠକରେ ଉପରେ ମୋହର ବାଜିଥିବା ପ୍ରସ୍ତାବ ହେଲା :-

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮ ଟି ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦିଆଯିବ। ଯେପରିକି ଗୋପାଳନ, ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା ୮୫ ପ୍ରତିଶତ ସରକାର ଦେବେ ଓ ୧୫ ପ୍ରତିଶତ ଚାଷୀ ଦେବେ, ବାଛୁରୀ ମାନଙ୍କୁ ଖାଦ୍ୟ ଯୋଗାଣ, ଦୁଗ୍ଧ ଉତ୍ପାଦନକୁ ସହାୟତା, ଓମଫେଡକୁ ସଶକ୍ତ ପାଇଁ ସହାୟତା, ଫଡର ଚାଷ ପାଇଁ ଇନସେଟିଭ ପାଇଁ ପ୍ରସ୍ତାବ ରହିଛି। ଆଗାମୀ ୫ ବର୍ଷରେ ଏଥି ପାଇଁ ୧୪୨୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି।

ଏହା ସହ ରାଜ୍ୟ ସରକାର ହାଇକୋର୍ଟର କର୍ମଚାରୀମାନଙ୍କ ପାଇଁ ୫୫୦ଟି ଆବାସିକ ଘର ନିର୍ମାଣ କରିବେ। ଏହାର ନିର୍ମାଣ କାମ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଏହା ସହ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ,୨୦୧୬’ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଫଳରେ ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଉ ଦେଢ଼ବର୍ଷ ଅର୍ଥାତ୍ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପରିସଂଖ୍ୟାନ ବିଭାଗର ତଥ୍ୟ ବିତରଣ ନିୟମରେ ସଂଶୋଧନ ହେବ ।

Leave a Reply

Your email address will not be published. Required fields are marked *