ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନ ପ୍ରସଙ୍ଗକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଦଳର ସ୍ଥିତି ବହୁତ ସଙ୍ଗୀନ ହୋଇଥିବା ବେଳେ ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନକୁ ନେଇ ବିଜେଡି ସୁପ୍ରିମୋ ନବୀନଙ୍କୁ ଚିଠି ଲେଖିଛନ୍ତି ୭ ବିଜେଡି ଯୁବ ନେତା। ସେ ଲେଖିଛନ୍ତି ଭୋଟିଂ ବିଭାଜନ ସମସ୍ତଙ୍କୁ ହତବାକ୍‌ କରିଛି । ଏହା ବିଜୁ ପ୍ରେମୀଙ୍କୁ ଆଘାତ ଦେଇଛି । ତେଣୁ ଏହା ଉପରେ ସମୀକ୍ଷା ପୂର୍ବକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।

ନବୀନଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି ଆମ୍ଭେ ବିଜୁ ଜନତା ଦଳ ତଥା ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ । ପିଢି ପରେ ପିଢି ଆମ୍ଭମାନଙ୍କର ପରିବାର ଧର୍ମ ନିରେପକ୍ଷ ରାଜନୀତିକୁ ସମ୍ମାନ ଦେଇ ଆସିଛନ୍ତି । ସମୃଦ୍ଧ ତ‌ଥା ବିକଶିତ ଓଡ଼ିଶା ଗଠନ ନିର୍ମାଣ ସ୍ବପ୍ନରେ ଆମ୍ଭେ ଜଣେ ଜଣେ କ୍ଷୁଦ୍ର ଅଂଶ ବିଶେଷ ।

ସାର୍ ଅତୀତରେ ଆପଣଙ୍କର ଧର୍ମ ନିରେପକ୍ଷ ନିଷ୍ପତି ସାରାଦେଶ ଏବଂ ରାଜ୍ୟରେ ଖୁବ୍ ପ୍ରଶଂସିତ । ଆମ୍ଭେମାନେ ଆପଣଙ୍କ ବଳିଷ୍ଠ ନେତୃତ୍ଵ ନିର୍ଦ୍ଦେଶ ତଥା ନିଷ୍ପତିକୁ ଅକ୍ଷରେ ଅକ୍ଷରେ ପାଳନ କରିଆସିଛୁ। ସମ୍ପ୍ରତି ରାଜ୍ୟସଭାରେ ଆମ ଦଳର ସାଂସଦମାନେ ୱାକଫ୍ ବିଲ୍ ମତଦାନକୁ ନେଇ ଯେଭଳି ବିଭାଜିତ ହେଲେ ତାହା ଆମ ସମସ୍ତଙ୍କୁ ହତବାକ୍ କରିଛି । ଏହା ବ୍ୟତୀତ ସାରା ରାଜ୍ୟର ବିଜୁ ପ୍ରେମୀଙ୍କ ମନରେ ଆଘାତ ଆଣିଦେଇଛି । ଦଳର ନୀତି ଆଦର୍ଶରୁ କେଉଁମାନେ କିପରି, କାହିଁକି ଓ କେଉଁ କେଉଁ କାରଣରୁ ହଠାତ୍ ବିଚ୍ୟୁତ ହେଲେ ତାହାର ସମୀକ୍ଷା ପୂର୍ବକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆମ ଦଳର ଆଗାମୀ କାର୍ଯ୍ୟକ୍ରମ ସ୍ଥିର ନିମନ୍ତେ ଆମ୍ଭେମାନେ ଆପଣଙ୍କ ଅନୁଗତ ଭାବରେ ଦୃଷ୍ଟି ଆକର୍ଷଣ କରୁଛୁ ।

Leave a Reply

Your email address will not be published. Required fields are marked *