ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୪୪୩ ଜଣ ପ୍ରାଣ ହରାଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଛି । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ବାରମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୫୧ଟି ବନଖଣ୍ଡରେ ହାତୀ ଆକ୍ରମଣରେ ୪୪୩ ଜଣ ପ୍ରାଣ ହରାଇଛନ୍ତି । ହାତୀ ଉପଦ୍ରବରେ ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ଯାଇଛି ।

୨୦୨୨-୨୩ ଏବଂ ୨୦୨୪-୨୫ ମଧ୍ୟରେ ହାତୀ ଆକ୍ରମଣ ଯୋଗୁଁ ୧,୦୫୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ୫,୫୮୭ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ୪୭ ହଜାର ୪୯୯.୧୨ ଏକର ଫସଲ ନଷ୍ଟ ହୋଇଛି । ବାରିପଦା ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ କେନ୍ଦୁଝରରେ ୧୫୪ ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।

ସେହିପରି ଗତ ତିନି ବର୍ଷରେ ରାଜ୍ୟରେ ୨୬୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୨ଟି ପ୍ରାକୃତିକ କାରଣ ଏବଂ ୧୩୨ ଅପ୍ରାକୃତିକ କାରଣରୁ ପ୍ରାଣ ହରାଇଛନ୍ତି ।

ଏହାସହ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ଵାରା ୫୨୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ଆହତ ହୋଇଛନ୍ତି । ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୩୦୭୪ ଜଣ ଶିକାରୀ ଗିରଫ ହୋଇଛନ୍ତି । ତେବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ବନଖଣ୍ଡରେ ୧୪୨୦ ଗୋଟି ପ୍ରାକ୍ ସତର୍କତା ବ୍ୟବସ୍ଥା ଲାଗୁ କରାଯାଇଛି ।

Leave a Reply

Your email address will not be published. Required fields are marked *