ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ୮୦ ପ୍ରତିଶତ ପ୍ରସ୍ତୁତି ଶେଷ ହୋଇଛି । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ରଥ ନିର୍ମାଣର ଅଗ୍ରଗତି, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଭିଡ଼ ନିୟନ୍ତ୍ରଣ ଟ୍ରାଫିକ କଟକଣା ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଏହି ବୈଠକ ପରେ ରଥଯାତ୍ରା ପାଇଁ ୮୦ ପ୍ରତିଶତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗୁଣ୍ଡିଚାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦ ପ୍ରତିଶତ ପ୍ରସ୍ତୁତି ସରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟରେ କାର୍ଯ୍ୟ ଚାଲିଛି । ମହାପ୍ରଭୁ ନିଜେ ସବୁ କିଛି କରାନ୍ତି, ଆମେ କେବଳ ସେଗୁଡ଼ିକରେ ସହଯୋଗ କରୁ । ତେଣୁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ସବୁକିଛି ସୁରୁଖୁରୁରେ ହେବ ବୋଲି ଆଇନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି, ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ବିଶେଷକରି ରଥଯାତ୍ରା ପାଇଁ ୩୦୦ଡାକ୍ତର ଚିକିତ୍ସା ପାଇଁ ନିୟୋଜିତ ହେବେ । ସେହିପରି ମେଡ଼ିକାଲରେ ୧୫ଟି ଅସ୍ଥାୟୀ ଆଇସିୟୁ (ICU) ବେଡ୍ ଓ ବର୍ଣ୍ଣ ୟୁନିଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ରଥାଯାତ୍ରା ପରେ ସ୍ଥାୟୀ ଆଇସିୟୁ ବେଡ୍ କରାଯିବ । ସେହିପରି କୋଭିଡ୍ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ । ଯଦି ଦେହ ଅସୁସ୍ଥ ରହିଛି ତେବେ ଭିଡ଼କୁ ନ ଆସି ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । Post navigation ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କା ଜୁଲାଇ ୮ ରୁ ଓଡ଼ିଶା ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଡାକରା