ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଅଛି । ପୁନର୍ବାର ଏହି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସ୍ଵୟଂ ସହାୟକ ଗୋଷ୍ଠୀ (SHG), ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ଵାରା ନିଯୁକ୍ତି ଦିଆଯାଇଥିଲା । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ Community Resource Person for Community Mobilization (CRP-CM), Master Book Keeper (MBK), Bank Mitra ଓ Prani Mitra ଅନ୍ତର୍ଭୁକ୍ତ ଅଟନ୍ତି । ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଥିଲା । ଓଡିଶା ଜୀବିକା ମିଶନର ପତ୍ର ସଂଖ୍ୟା ୫୭୪, ଆସନ୍ତା ୨୫ ତାରିଖରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରଯାଇଥିଲା । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦକୁ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘମାନଙ୍କୁ ୨୦୧୯ ଏପ୍ରିଲ ୧ ତାରିଖଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ହାରରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା । ନିଯୁକ୍ତିର ପ୍ରଥମ ତିନି ବର୍ଷ ୧୦୦ ପ୍ରତିଶତ, ଚତୁର୍ଥ ବର୍ଷରେ ୭୫ ପ୍ରତିଶତ ଓ ପଞ୍ଚମ ବର୍ଷରେ ୫୦ ପ୍ରତିଶତ ହିସାବରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦକୁ ଚତୁର୍ଥ ବର୍ଷରେ ୨୫ ପ୍ରତିଶତ, ପଞ୍ଚମ ବର୍ଷରେ ୫୦ ପ୍ରତିଶତ ଏବଂ ପଞ୍ଚମ ବର୍ଷ ପରେ ସମୁଦାୟ ୧୦୦ ପ୍ରତିଶତ ପାଣ୍ଠି ପଞ୍ଚାୟତସ୍ତରୀୟ ସଂଘମାନେ ନିର୍ଦ୍ଦେଶାବଳୀ ଅନୁଯାୟୀ ବହନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏହା ପରିଲକ୍ଷିତ ହେଉଅଛି ଯେ, ବିଗତ ସରକାରଙ୍କ ଇଛା ଶକ୍ତିର ଅଭାବ ଯୋଗୁ GPLF ମାନେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ପାରି ନାହାନ୍ତି । ତେଣୁ, କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଦଶ ମାସ ଧରି ପାରିଶ୍ରମିକ ପାଇ ପାରିନାହାନ୍ତି । ଆମ ସରକାର ମା’ମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି । ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ “ଲକ୍ଷପତି ଦିଦି ଯୋଜନା” କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାରେ ଅଧିକରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ରୋଜଗାରକ୍ଷମ କରାଇବା ପାଇଁ ପ୍ରୟାସ କରାଯାଉଅଛି । ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି । ଏତଦ୍ ବ୍ୟତୀତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ସମୃଦ୍ଧ ଓଡିଶା ଗଢିବା ଆମ ସରକାରଙ୍କ ଉଦ୍ଦେଶ୍ୟ । ଏଥିପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ, ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ, ଆମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । “ଲକ୍ଷପତି ଦିଦି ସହାୟିକା ଯୋଜନା” ନାମକ ଏକ ନୂତନ ଯୋଜନା ମୁଁ ଘୋଷଣା କରୁଛି । ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ । ଏହି ନିଷ୍ପତ୍ତି ଦ୍ଵାରା ୬୨ ହଜାରରୁ ଉର୍ଦ୍ଧ୍ଵ କମ୍ୟୁନିଟି ସପୋର୍ଟ ଷ୍ଟାଫ ଲାଭବାନ ହେବେ ଏବଂ ସେମାନେ ଏପ୍ରିଲ ୨୦୨୪ ଠାରୁ ତାଙ୍କର ପାରିଶ୍ରମିକ ପାଇବେ । Post navigation କଂଗ୍ରେସରୁ ସବୁ ନିଲମ୍ବନ, ବହିଷ୍କାର ପ୍ରତ୍ୟାହାର ଘୋଷଣା କଲେ ଭକ୍ତ ଦାସ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ପୁଣି ଆରମ୍ଭ ହେବ ତଦନ୍ତ