ସରକାର ଏବଂ ସରକାରୀ ବାବୁମାନେ ହାମବଡ଼ା ଓ ଅପରିଣାମଦର୍ଶୀ ହେଲେ କେମିତି କୋର୍ଟ ଛାଟ ଖାଇବାକୁ ହୁଏ, ତାହାର ବଡ଼ ପ୍ରମାଣ ରଖିଛନ୍ତି ମୋହନ ସରକାରଙ୍କ ରାଜସ୍ୱ ଏବଂ ସାଧାରଣ ପ୍ରଶାସନ ବିଭାଗ। ଜମି ସଂସ୍କାର ଆଳରେ ଯେଉଁ ନିୟମ କରିଥିଲେ ସରକାର ଏ ଏବଂ ପିଛିଲା ଭାବେ ଏହି ଏହାକୁ ଲାଗୁ କରିବା ବା ପାଇଁ ଯେଉଁ ବା ବାବୁ ମାନେ ଚେଷ୍ଟା କରିଥିଲେ ତାହା ଏବେ ସରକାରଙ୍କ ସକାଶେ ବଡ଼ ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି। ହାଇକୋର୍ଟ ଏକାଧିକ ଐତିହାସିକ ରାୟରେ ଅତି ପ୍ରାଞ୍ଜଳ ଭାବେ କହି ସାରିଛନ୍ତି ଯେ, ନିୟମ ପିଛିଲା ବର୍ଷରୁ ଲାଗୁ କରାଯାଇପାରିବ ନାହିଁ।

ସରକାର ଗୋଟିଏ ପରେ ଗୋଟିଏ କେଶ ହାରୁଛନ୍ତି ହାଇକୋର୍ଟରେ । କିନ୍ତୁ ନିୟମ ସଂଶୋଧନ କରିବା ପାଇଁ ହାଇକୋର୍ଟର ନିୟମର୍ ଅବମାନନା କରିସାରିଲେଣି ସରକାର ।

ପୁଣି ଏକ ବଡ଼ ଛାଟ ଲାଗିଛି ହାଇକୋର୍ଟ ଠାରୁ। ଏଥିପାଇଁ ଦୁଇଜଣ ଅଧିକାରୀଙ୍କୁ ଦାୟୀ କରାଯାଉଛି । ଜଣେ ହେଲେ ହାଲକୁ ଉନ୍ନୟ କମିଶନର ହୋଇଥିବା ଦେଓରଞ୍ଜନ କୁମାର ସିଂ ଏବଂ ଅନ୍ୟ ଜଣେ ହେଲେ ଅତିରିକ୍ତ ସଚିବ ମାନସ ସାମଲ । ମାନସ ସାମଲ ସରକାରଙ୍କର ଏକ ବିଚିତ୍ର ପସନ୍ଦ । ଭୁବନେଶ୍ବର ତହସିଲର ତହସିଲଦାର, ଭୁବନେଶ୍ବର ସବ୍ କଲେକ୍ଟର ପରେ ଏବେ ଅତିରିକ୍ତ ସଚିବ ‌(ଜମି ) ଦାୟିତ୍ବରେ ମାନସ ସାମଲ । ଏହି କରିତ୍‌କର୍ମା ସାର୍‌ଙ୍କୁ ବିଲ୍ଡରମାନଙ୍କ ସାର୍ ବୋଲି ସମସ୍ତେ କୁହନ୍ତି । ତେଣୁ ଯେଉଁ ନୂଆ ନିୟମ ସେ ତିଆରି କରୁଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ତାହା କେବଳ ନିଜର ମନପସନ୍ଦର ବିଲ୍ଡରମାନଙ୍କୁ ସୁହାଇବା ପାଇଁ।

ନିକଟରେ ହାଇକୋର୍ଟ ଆଉ ଏକ ବଡ଼ ଝଟକା ଦେଇଛନ୍ତି ସରକାରଙ୍କୁ। ଦିନେ ନୁହେଁ କି ବର୍ଷେ ନୁହେଁ ଦଶକ ଦଶକ ଧରି ଗୋଟିଏ ଜମିକୁ ମିଳିଥିଲା ସ୍ଥିତିବାନ ପଟ୍ଟା। ଏବାବଦରେ ଅଧିକ ଖଜଣା ମଧ୍ଯ ନେଇଛନ୍ତି ସରକାର। ହେଲେ ପରେ ଏହାକୁ ଏହି ବାବୁମାନେ ପଟ୍ଟାଦାର ଷ୍ଟାଟସ୍ ପ୍ରଦାନ ବିରୋଧରେ ରହିଥିଲା । ଆବେଦନକାରୀ ପ୍ରାର୍ଥନା କରିଥିଲେ ଯେ, ୨୧.୦୮.୨୦୨୫ରେ ଅତିରିକ୍ତ ତହସିଲଦାର ଭୁବନେଶ୍ୱର ମ୍ୟୁଟେସନ କେଶ ନଂ-୭୯୪୦/୨୦୨୫କୁ ନେଇ ଯେଉଁ ବିବାଦସ୍ପଦ ଆଦେଶ ଦେଇଛନ୍ତି ତାକୁ ରଦ୍ଦ କରାଯାଉ। ସେଥିରେ ସେ ଦର୍ଶାଇଛନ୍ତି ଯେ, ଆବେଦନକାରୀଙ୍କ ନାମରେ ପ୍ଳଟ ନଂ-୩୦୬/୧୬୯୭/୪୦୨୭ରେ ଏ୦.୦୮୦ ଡିସିମିଲ ଜାଗା ଥିଲା ବେଳେ ଖାତା ନଂ ହେଉଛି-୪୭୪/୪୩୮୫। ଏହାକୁ ସ୍ଥିତିବାନ ଷ୍ଟାଟସ୍ ଦିଆଯାଇଥିଲା ବେଳେ ଜମିର କିଷମ ଥିଲା ବାଜେ ଫସଲ ଦୁଇ। ହେଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି ସଂଖ୍ୟା ଆରଡିଏମ୍ -ସିଏଚଏସ୍-ପିଜିଓଟି-୦୩୦୩-୨୦୨୦-୨୩୮୬୮/ ତା ୦୨.୦୭.୨୦୦୨୫ ଅନୁସାରେ ଅତିରିକ୍ତ ତହସିଲଦାର ଭୁବନେଶ୍ବର ଏହାକୁ ପଟ୍ଟାଦାର ଷ୍ଟାଟସ୍ ଦେଇଛନ୍ତି ।

ଏହି ମାମଲାର ଶୁଣାଣି ସମୟରେ ବିଚାରପତି ଅବସରପ୍ରାପ୍ତ କ୍ୟାପଟେନ କେସି ଅରୋରା ଏବଂ ଅନ୍ୟ ବନାମ ହରିଆନା ସରକାର ଏବଂ ଅନ୍ୟ, ଗୁଜରାଟ ସରକାର ଏବଂ ଅନ୍ୟ ବନାମ ରମଣଲାଲ କେଶବ ଲାଲ ସୋନି ଏବଂ ଅନ୍ୟ, ମଧ୍ୟପ୍ରଦେଶ ସରକାର ବନାମ ଯୋଗେନ୍ଦ୍ର ଶ୍ରୀବାସ୍ତବ, ବୈଷ୍ଣବ ଚରଣ ପଣ୍ଡା ଏବଂ ଅନ୍ୟ ବନାମ ଓଡ଼ିଶା ସରକାର ଆଦି ମାମଲାର ଉଦାହରଣ ଦେଇଥିଲେ। କୋର୍ଟ ସ୍ପଷ୍ଟ କରିଥିଲେ ଯେ, ବର୍ତ୍ତମାନର ନିୟମ ଅନୁସାରେ ଯେଉଁ ଅଧିକାର ଏବଂ ସୁବିଧାଗୁଡ଼ିକ ପୂର୍ବରୁ ମିଳିଛି ତା’କୁ ପିଛିଲା ପ୍ରଭାବରେ ନିୟମ ସଂଶୋଧନ କରି ଛଡ଼ାଇ ନିଆଯାଇପାରିବ ନାହିଁ ।

ଆବେଦନକାରୀ ଚିତ୍ତରଞ୍ଜନ ପାତ୍ରଙ୍କ ମାମଲାରେ ଏହା ଘଟିଛି । ସରକାର ପିଛିଲା ଭାବେ ନିୟମ ସଂଶୋଧନ କରି ସତ୍ତ୍ୱେ ବଦଳାଇଛନ୍ତି, ଏହା ଗ୍ରହଣୀୟ ନୁହେଁ। ତେଣୁ ଖାତା ସଂଖ୍ୟା ୪୭୪/୪୩୮୫ ଯାହା ଆବେଦନକାରୀଙ୍କ ନାମରେ ରହିଛି ତାକୁ ପଟ୍ଟଦାର ଷ୍ଟାଟସରୁ ସଂଶୋଧିତ କରି ସ୍ଥିତିବାନ ଷ୍ଟାଟସ୍ କରାଯାଉ । ୭ଦିନ ମଧ୍ୟରେ ଏହି ସଂଶୋଧନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥି ଲେ (ନିର୍ଦ୍ଦେଶ ତାରିଖ ୨୩.୧୨.୨୦୨୫)।

ସରକାର ବଦଳିଛି ସତ, ହେଲେ ଗାଦିମଡା ବାବୁଙ୍କ ଅହଂକାର ଜମିଜମା ହସ୍ତାନ୍ତର, ପଟ୍ଟା ବ୍ୟବସ୍ଥା ଏବଂ ବିକାକିଣା ପ୍ରସଙ୍ଗରେ କିନ୍ତୁ ବଦଳି ନାହିଁ। ପୂର୍ବ ସରକାର ସମୟରେ ଯେଉଁ ଇକୋ ସିଷ୍ଟମ ଚାଲିଥିଲା ଏବେ ବି ତାହା ଚାଲିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସତ୍ୱ ବଦଳାଇ ସ୍ଥିତିବାନ ପଟ୍ଟା ଦେବାକୁ ରାଜି ନୁହଁନ୍ତି ଅଧିକାରୀ । ନିକଟରେ ନୂଆ ସରକାର ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲ୍ସର ସଂଶୋଧନ କରିଛନ୍ତି । ତହସିଲଦାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି, ଏଣିକି ସହଜ ହେବ ପଟ୍ଟା ସଂଶୋଧନ ବୋଲି କୁହାଯାଉଛି । ମାତ୍ର ଜମିଜମା ହସ୍ତାନ୍ତର, ବିକାକିଣା, ପଟ୍ଟା ବ୍ୟବସ୍ଥାକୁ ନେଇ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ୨୫ ଜୁନ୍, ୧୯୯୦ରେ ଯେଉଁ ଗାଇଡ ଲାଇନ୍ ବା ନିର୍ଦ୍ଦେଶାବଳୀ ସରକାର ଜାରି କରିଥିଲେ ତାହା ଏପର୍ଯ୍ୟନ୍ତ ସଂଶୋଧନ ହୋଇନାହିଁ। ରାଜସ୍ୱ ଏବଂ ସାଧାରଣ ପ୍ରଶାସନ ଅଧିକାରୀ ତାଙ୍କ ଢଙ୍ଗରେ ନିଷ୍ପତ୍ତି ନେଉଥିବା କାରଣରୁ ହଜାର ହଜାର ସଂଖ୍ୟାରେ ମାମଲା କୋର୍ଟରେ।

କୋର୍ଟ ଉର୍ତ୍ସନା କରୁଛନ୍ତି, ସରକାରଙ୍କ ତରଫରୁ ଓକିଲଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ସରକାର ବଦନାମ ସତ୍ତ୍ୱେ ଏହି ଗାଦି ମଡ଼ା, ଅହଂକାରୀ ବାବୁମାନଙ୍କ ପାଇଁ ପୂର୍ବ ସରକାର ଭଳି ବର୍ତ୍ତମାନର ସରକାରଙ୍କୁ ମଧ୍ୟ ଆସ୍ଥା ହରାଉଛି ଲୋକଙ୍କ ନିକଟରୁ । ମୂଳ ଗାଇଡ ଲାଇନ ଉଲଂଘନ କରି ରାଜସ୍ୱ ଓ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନେ କାର୍ଯ୍ୟ କରୁଥିବାରୁ ଜମି ମାଲିକମାନେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି । ବିଭିନ୍ନ ପ୍ରକଳ୍ପ ପାଇଁ କୋଟିକୋଟି ଖର୍ଚ୍ଚ କରିଥିବା ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିବାକୁ ବାଧ୍ଯ ହୋଇଛନ୍ତି ।

ଜୁନ୍ ୨୪,୧୯୯୦ରେ ରାଜସ୍ୱ ବିଭାଗ ଶାସନ ସଚିବ ଭାସ୍କର ପଟ୍ଟନାୟକ ଏକ ବିଜ୍ଞପ୍ତି ଜାରି କରିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ, ବନ୍ଦୋବସ୍ତ ଓ ଚକବନ୍ଦୀ ଦ୍ବାରା ପ୍ରସ୍ତୁତ ସତ୍ଵଲିପିରେ ସରକାରୀ ଜମି ଭୁଲ୍ ଭାବେ ରେକର୍ଡ ହୋଇଥିବାର ଅନେକ ଦୃଷ୍ଟାନ୍ତ ସରକାରଙ୍କ ଦୃଷ୍ଟିକୁ ଆସିଛି। ସେହିସବୁ ଭୁଲକୁ ସୁଧାରି ସେ ସଂକ୍ରାନ୍ତୀୟ ପ୍ରଣାଳୀର ସମୀକରଣ ଓ ସରଳୀକରଣର ଆବଶ୍ୟକତା ସରାକର ଅନୁଭବ କଲେ । ତେଣୁ ଏହି ନିୟମାବଳୀ ପ୍ରଣୟନ କରାଯାଇଛି। ଏହି ନିୟମାବଳୀ ନାମ ‘ସରଳୀକରଣ ଜମି ରେକର୍ଡ କରିବା ପ୍ରଣାଳୀ ରଖାଯିବ । ଏହି ବିଜ୍ଞପ୍ତି ପରଦିନ ହୋଇଥିଲା ଗେଜେଟ୍ ନୋଟିଫିକେସନ । ଏହା ଜାରି ହେବା ପରେ ୧୯୯୦ ର୍ପୂବରୁ ଯେଉଁସବୁ ଜମିର କିଣାବିକା ହୋଇଥିଲା ତାହା ପୂର୍ବଭଳି ରହିବ ବୋଲି କୁହାଯାଇଥିଲା। ଏହି ନୂଆ ସତ୍ୱଲିପିର ଉଦ୍ଦେଶ୍ୟ ହେଉଛି ଜନମଙ୍ଗଳ ଏବଂ ଦ୍ରୁତ ଉନ୍ନୟନ ଶୀଳ ରାଜ୍ୟରେ ବନ୍ଦୋବସ୍ତ ଏବଂ ଚକବନ୍ଦୀକୁ ନେଇଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା। ଯଦିଓ ଏହି ସତ୍ଵଲିପି ୧୯୯୦ ପରଠାରୁ କାର୍ଯ୍ୟକାରୀ ଏବଂ ଏଥରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ପୂର୍ବ ଜମିଜମା ମାମଲା ପୂର୍ବବତ୍ ରହିବ ତଥାପି କିଛି ଅଧିକାରୀଙ୍କ ସ୍ୱଚ୍ଛାଚାରିତା ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି। ଯେଉଁ ଜମି ପାଇଁ ସରକାର ପଟ୍ଟା ଦେଇଛନ୍ତି, ସ୍ଥିତିବାନ ବୋଲି କାଗଜପତ୍ରରେ ଉଲ୍ଲେଖ ଅଛି ସେହି ଜମି ସବୁକୁ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ଅଟକାଉଛନ୍ତି । କିଛି ଜମି ପ୍ରସଙ୍ଗରେ ଅଧିକାରୀମାନଙ୍କ ଭିନ୍ନ ଉଦ୍ଦେଶ୍ୟ ରହୁଥ‌ିବା ସ୍ପଷ୍ଟ ହେଉଛି । ଏହାକୁ ନେଇ ଅନେକ ତର୍କ ବିତର୍କ ଜାରି ରହିଛି।

ନିର୍ଭୟ ପାଖରେ କିପରି ସରକାର ଚାଲିଛି, ଗାଦିମଡା ଅହଂକାରୀ ବାବୁମାନେ କିପରି ନିଜର ସେଚ୍ଛାଚାରିତା ଢଙ୍ଗରେ ନିଷ୍ପତ୍ତି ନେଉଛନ୍ତି, ତା’ର ଅନେକ ଉଦାହରଣ ରହିଛି। କିଛି ମାମଲାକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଘୋଷଣା ସହ ଅନେକ ପ୍ରକଳ୍ପକୁ ନେଇ କ୍ଲିନ୍ ଚିଟ୍ ମଧ୍ୟ ଦେଇଛନ୍ତି କୋର୍ଟ। ହେଲେ ଏହା କିନ୍ତୁ ଆଗକୁ ବଢ଼ି ପାରୁ ନାହିଁ । ଅନେକ ଆବାସିକ ପ୍ରକଳ୍ପ ଏହି କାରଣରୁ ପ୍ରତିବନ୍ଧକ ଘେର ଭିତରକୁ ଠେଲି ହୋଇଯାଇଛି। ସବୁ ସମସ୍ୟାର ସମାଧାନ, ଶିଳ୍ପ ପ୍ରଗତିର ନୂଆବାଟ ଆମେ ଖୋଲୁଛୁ ବୋଲି ସରକାର ଡିଣ୍ଡିମ ପିଟୁଥିଲା ବେଳେ ଏହା ସେପର୍ଯ୍ୟନ୍ତ ସଫଳ ହେବ ନାହିଁ ଯେପର୍ଯ୍ୟନ୍ତ ଏହି ଗାଦିମଡା ଅହଂକାରୀ ବାବୁମାନେ ନିଜର ସେଚ୍ଛାଚାରିତା ଢଙ୍ଗରେ ନିଷ୍ପତ୍ତି ନେଉଥ‌ିବେ । ଆଶା ମୋହନ ସରକାର ଏଥିପ୍ରତି ଦୃଷ୍ଟି ଦେବେ।

Leave a Reply

Your email address will not be published. Required fields are marked *